ନୂଆଦିଲ୍ଲୀ,୭।୨: କରୋନାଭାଇରସରେ ଚାଇନାର ଉହାନ ସହରରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ। ତେବେ ଚାଇନାରେ କରୋନାଭାଇରସର ଭୟାବହତାକୁ ଦେଖି ସେଠାରେ ଥିବା ଭାରତୀୟମାନଙ୍କୁ ସ୍ବତନ୍ତ୍ର ବିମାନ ସାହାଯ୍ୟରେ ଭାରତ ଫେରାଇ ଅଣାଯାଇଛି। ହେଲେ ଏବେବି ସେଠାରେ ପ୍ରାୟ ୮୦ ଭାରତୀୟ ଛାତ୍ର ରହିଥିବା ଶୁକ୍ରବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ତେବେ ସେଠାରେ ଥିବା ଭାରତୀୟମାନଙ୍କୁ ଉଦ୍ଧାର କରାଯିବା ସମୟରେ ଏମାନଙ୍କ ମଧ୍ୟରୁ ୧୦ ଜଣ ବିମାନ ବନ୍ଦରର ସ୍କ୍ରିନିଂ ପ୍ରୋସେସରେ ଫେଲ୍ ମାରିବା ଓ ଅନ୍ୟମାନେ ପଛରେ ରହିଯିବାରୁ ସେମାନଙ୍କୁ ଭାରତ ଫେରାଇ ଆଣାଯାଇ ପାରିନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚାଇନାର ଉହାନ ସହରରେ ଥିବା ପ୍ରାୟ ୬୪୦ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ସହ ମାଲଦ୍ୱୀପର ୭ ଜଣଙ୍କୁ ମଧ୍ୟ ସ୍ବତନ୍ତ୍ର ବିମାନରେ ଭାରତ ଆସିବାକୁ ସୁଯୋଗ ଦିଆଯାଇଥିଲା। ଏବେ ବାକିଥିବା ଭାରତୀୟ ଓ ପଡୋଶୀ ଦେଶର ନାଗରିକଙ୍କୁ ଉହାନ ସହରରୁ ଉଦ୍ଧାର କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ଜୟଶଙ୍କର କହିଛନ୍ତି।