ଋଣଭାର ସହି ନ ପାରି ଛତୁ ଚାଷୀଙ୍କ ଆତ୍ମହତ୍ୟା

ସୋର, ୧୭ା୬(ଡି.ଏନ.ଏ.)-ରଜ ମଉଜରେ ସମସ୍ତେ ମଜାମସ୍ତିରେ ମାତିଥିବା ବେଳେ ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ଚାଷୀ ଋଣ ଭାର ସହି ନ ପାରି ଶେଷରେ ଆତ୍ମହତ୍ୟା ପନ୍ଥା ବାଛି ନେଇଛନ୍ତି। ସେ ବେକରେ ରଶି ଲଗାଇ ଓରାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ହେଲେ ଗୟାଧର ଜେନା (୬୨)
ଗୟାଧର ଋଣ ଆଣି ଏକ ଛତୁ ଫାର୍ମ କରିଥିଲେ। ହେଲେ ସେ ଠିକ୍‌ ସମୟରେ ଋଣ ଶୁଝି ପାରୁ ନ ଥିବାରୁ ଅଧିକାଂଶ ସମୟ ମାନସିକ ଚାପରେ ରହୁଥିଲେ। ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଶେଷ ରଜରେ ବେକରେ ଗାମୁଛା ଲଗାଇ ଫାର୍ମ ଓରାରେ ଝୁଲି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସଂଜ୍ଞାହୀନ ଅବସ୍ଥାରେ ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଛି। ପ୍ରକାଶ ଥାଉକି ଗୟାଧର ସୋରସ୍ଥିତ ବିବିସିସି ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଋଣ ଆଣିଥିଲେ।