ଋଣ ଦେବା ନାଁରେ ଅର୍ଥ ହଡ଼ପ ଅଭିଯୋଗ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ହାତିଆଡ଼ିହା ଗ୍ରାମବାସୀଙ୍କୁ ଋଣ ଯୋଗାଇ ଦେବା ନାଁରେ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ ସଂସ୍ଥା ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର ଶାଖା ପରିଚାଳକ ବିଜୟ କୁମାର ନାୟକ ଓ ଡେଭେଲପମେଣ୍ଟ ଅଫିସର ସୁଚିସ୍ମିତା ଦାସ ବର୍ଷକ ପରେ ବାଇକ୍‌ ଯୋଗେ ଗୁରୁବାର ହାତିଆଡ଼ିହା ଗାଁକୁ ଆସି ବୁଝାଶୁଝା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକ ରଖି ଥାନାକୁ ଆଣିଥିଲେ। ଏ ସମ୍ପର୍କରେ ମନୋରଞ୍ଜନ ନାୟକ, ସୁବାଷ କୁମାର ପାତ୍ର, ଶ୍ରୀକାନ୍ତ ମହାଳିକ, ସନିଆ ଗିରି, ରଣଜିତ୍‌ ସାହୁ, ପଦ୍ମଲୋଚନ ରଣା ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏହି ସଂସ୍ଥା ମୟୂରଭଞ୍ଜ ବୈଶିଙ୍ଗାଠାରେ ଏକ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଅଞ୍ଚଳରେ ଜେଏଲ୍‌ଜି(ଜଏଣ୍ଟ ଲାଇବିଲିଟି ଗ୍ରୁପ) ଗଠନ କରୁଛନ୍ତି। ସ୍ବାବଲମ୍ବୀ ହେବା ପାଇଁ ଋଣ ପ୍ରଦାନ କରୁଥିବା ଦର୍ଶାଉଛନ୍ତି। ବର୍ଷକ ପୂର୍ବରୁ ହାତିଆଡ଼ିହା ଗାଁରେ ମଧ୍ୟ ଗ୍ରୁପ ଗଠନ କରି ଋଣ ଦେବେ ବୋଲି ବିଶ୍ୱାସ ଜନ୍ମାଇଥିଲେ। ଏହି ବାବଦରେ ୨ ଅଧିକାରୀ ସେମାନଙ୍କଠାରୁ ୨୪ହଜାର ଟଙ୍କା ନେଇଥିଲେ। ବର୍ଷେ ଧରି ଯୋଗାଯୋଗ ନ ରହିବାରୁ ସଂସ୍ଥା ପ୍ରତି ସନ୍ଦେହ ଦେଖାଦେଇଥିଲା। ସେମାନେ ଗାଁକୁ ଆସି ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉଭୟ ପକ୍ଷ ଥାନାକୁ ଆସିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାର ସମାଧାନ ହୋଇପାରିନାହିଁ। ସେମାନଙ୍କ ବାଇକ୍‌କୁ ଗ୍ରାମବାସୀ ଆଣି ଥାନା ଜିମା ଦେଇଛନ୍ତି।