ଋଣ ଦେବା ନାଁରେ ୫ ଲକ୍ଷ ଠକେଇ : କମ୍ପାନୀ ମାଲିକଙ୍କୁ ପୋଲିସ ଜିମାଦେଲେ ଜମାକାରୀ

ତିହିଡ଼ି, ୧୩।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଭିନ୍ନ ଗ୍ରାମର ୩୯ ସ୍ବୟଂସହାୟକ ଗୋଷ୍ଠୀକୁ ଋଣ ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଶନିବାର ତିହିଡ଼ି ଥାନାରେ ଅଭିଯୋଗ କରାଯାଇଛି। ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଜଣେ ବ୍ୟକ୍ତି ଏକ କମ୍ପାନୀ ଖୋଲି ଏହି ଟଙ୍କା ଠକି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ଜମାକାରୀମାନେ କୌଶଳକ୍ରମେ ଉକ୍ତ କମ୍ପାନୀ ମାଲିକଙ୍କୁ ଧରିଆଣି ପୋଲିସରେ ଜିମା ଦେଇଛନ୍ତି। କମ୍ପାନୀ ମାଲିକ ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିବା ସିନ୍ଦୋଳ ପଞ୍ଚାୟତ ନୂଆସାହି ଗ୍ରାମର ସୁଲୋଚନା ମଳିକ ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କମ୍ପାନୀ ମାଲିକଙ୍କୁ ଥନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ଅଭିଯୋଗରେ ଦର୍ଶାଯାଇଛି ଯେ, ମଙ୍ଗଳପୁର ଗ୍ରାମର ଜଣେ ବ୍ୟକ୍ତି ୬ ମାସ ତଳେ ନୂଆସାହି ଗ୍ରାମରେ ପହଞ୍ଚତ୍ଥିଲେ। ସେ ଗ୍ରାମର ସ୍ବୟଂସହାୟକ ଗୋଷ୍ଠୀର ସୁଲୋଚନାଙ୍କୁ ଋଣ ଦେବାର ପ୍ରଲୋଭନ ଦେଖାଇ ଖୋଲିଥିବା କମ୍ପାନୀର ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିଲେ। ପରେ ସେହି ବ୍ୟକ୍ତି ଏକ କମ୍ପାନୀ ନଁାରେ ବିଭିନ୍ନ କାଗଜପତ୍ର ଛପାଇଥିଲେ। ଉକ୍ତ କାଗଜପତ୍ର ମାଧ୍ୟମରେ ସୁଲୋଚନା ବିଭିନ୍ନ ଗ୍ରାମର ସ୍ବୟଂସହାୟକ ଗୋଷ୍ଠୀରୁ ଟଙ୍କା ଆଦାୟ କରିଥିଲେ। ଟଙ୍କା ଜମା କରିବାର କିଛିମାସ ପରେ କମ୍ପାନୀରୁ ଋଣ ମିଳିବ ବୋଲି ବ୍ୟକ୍ତି ଜଣଙ୍କ ତାଙ୍କୁ କହିଥିଲେ। ସୁଲୋଚନା ୩୯ଟି ଗ୍ରୁପ୍‌ଠାରୁ ୫ ଲକ୍ଷ ଟଙ୍କା ଆଦାୟ କରି ତାଙ୍କୁ ଦେଇଥିଲେ। ଋଣ ନ ମିଳିବାରୁ ସୁଲୋଚନାଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ ମଙ୍ଗଳପୁରକୁ ଯାଇ କମ୍ପାନୀ କାର୍ଯ୍ୟାଳୟ ଖୋଜି ପାଇ ନ ଥିଲେ। ସେହି ବ୍ୟକ୍ତି ତାଙ୍କୁ ଭଦ୍ରକ ବନ୍ତସ୍ଥିତ ଏକ କମ୍ପାନୀରୁ ଋଣ ମିଳିବ ବୋଲି କହିଥିଲେ। ସୁଲୋଚନା ବନ୍ତ କମ୍ପାନୀ କାର୍ଯ୍ୟାଳୟକୁ ଯିବାପରେ ସେହି ନାମରେ କେହି କର୍ମଚାରୀ ନ ଥିବା ସେଠାରେ କୁହାଯାଇଥିଲା। ପରେ ସୁଲୋଚନା ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶନିବାର ସକାଳେ ସେ କେତେକ ବ୍ୟକ୍ତିଙ୍କ ସହ ମଙ୍ଗଳପୁର ଯାଇ ଉକ୍ତ ଠକ ବ୍ୟକ୍ତିଙ୍କୁ କୌଶଳକ୍ରମେ ନୂଆସାହି ଗ୍ରାମକୁ ଡାକି ଆଣିଥିଲେ। ପରେ ଜମାକାରୀମାନେ ତାଙ୍କୁ ତିହିଡ଼ି ଥାନାକୁ ନେଇ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜମାକାରୀମାନେ ଦାବି ଜଣାଇଛନ୍ତି।