ଋଣ ଦେବା ନାମରେ ୨୩ଲକ୍ଷ ଠକେଇ: ଧାରଣା ଦେଲେ ସଂଯୋଜକ

ଖଇରା, ୨୬।୨(ଡି.ଏନ.ଏ.): ଋଣ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ଅଞ୍ଚଳର ଲୋକଙ୍କଠାରୁ ୨୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ପାଖରୁ ସିଧାସଳଖ ଅର୍ଥ ନ ଆଣି କେତେକ ପଞ୍ଚାୟତ ଓ ବ୍ଲକସ୍ତରୀୟ ସଂଯୋଜକ ନିଯୁକ୍ତି କରି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ସଂଯୋଜକଙ୍କୁ ଠକି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ଏହି କମ୍ପାନୀ ବିରୋଧରେ ସଂଯୋଜକମାନେ ଖଇରା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ବୁଧବାର କାର୍ଯ୍ୟାଳୟ ଆଗରେ ଧାରଣା ବସିଥିଲେ। ସଂସ୍ଥା ଅର୍ଥ ନ ଫେରାଇଲେ କିମ୍ବା ଖାଉଟିଙ୍କୁ ଋଣ ନ ଦେଲେ ଆଗକୁ ଅନଶନରେ ବସିବେ ବୋଲି ସଂଯୋଜକ ଅଚ୍ୟୁତାନନ୍ଦ ଜେନା, ଜଗନ୍ନାଥ ପୃଷ୍ଟି, ସଭ୍ୟ ବଂଶୀଧର ପତି, ଜଗବନ୍ଧୁ ବେହେରା, ସୁବ୍ରତ ସାହୁ, ପ୍ରଭାକର ରାଉତ, ଗଦାଧର ପାଣିଗ୍ରାହୀ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଅନ୍ୟୁନ ୧୦ମାସ ତଳେ ଋଣମୁକ୍ତି ଅଭିଯାନ ନାମରେ ଉକ୍ତ ସଂସ୍ଥା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରୁ ୩୨୫ ଟଙ୍କା ଲେଖାଏଁ ଆଦାୟ କରିଥିଲା। ଏଥିପାଇଁ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲାରେ ୪୪ଜଣ ପଞ୍ଚାୟତ ଓ ବ୍ଲକ ସଂଯୋଜକ ନିଯୁକ୍ତ କରିଥିଲା। ଏହି କମ୍ପାନୀ ସଂଯୋଜକମାନଙ୍କୁ ମାସକୁ ୧୫ହଜାର ଟଙ୍କାର ଦରମା ଲୋଭ ଦେଖାଇ ୭ହଜାର ଲୋକଙ୍କୁ କମ୍ପାନୀ ସଦସ୍ୟ କରାଇ ଜଣ ପିଛା ୩୨୫ଟଙ୍କା କରି ମୋଟ ୨୨ଲକ୍ଷ ୭୫ହଜାର ଟଙ୍କା ଆଦାୟ କରିଥିଲା। ଏହି ଜମା ବଦଳରେ ଋଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ କମ୍ପାନୀ ଋଣ ଦେବାକୁ ରୋକଠୋକ ମନା କରୁଛନ୍ତି । ସଭ୍ୟମାନେ ଋଣ ନ ପାଇ ସଂଯୋଜକମାନଙ୍କୁ ଦାୟୀ କରି ଧମକଚମକ ଦେବା ଆରମ୍ଭ କରିଥିବାରୁ ଉଭୟ ସଂଯୋଜକ ଓ ସଭ୍ୟ ନାନା ଆଶଙ୍କା ମଧ୍ୟ ଦେଇ ଗତି କରୁଛନ୍ତି । କମ୍ପାନୀ ସଂସ୍ଥା ବନ୍ଦ କରି ପଳାଇବା ପୂର୍ବରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭ୍ୟ ସଂଯୋଜକମାନେ କ୍ରାଇମବ୍ରାଞ୍ଚ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ସୁବ୍ରତ ବେହେରାଙ୍କୁ ଯୋଗାଯୋଗ କରିବାରେ ଅର୍ଥ ଆଦାୟ କରିଥିବା ବ୍ୟକ୍ତିମାନେ ଅଭିଯୋଗ କରିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅଫିସ ବନ୍ଦ କରାଯାଇଥିବା କହିଛନ୍ତି।

Share