ରଞ୍ଜନ କୁମାର ଦାସ
ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିନସାରା କ୍ଲାସ୍, ପାୱାର ପଏଣ୍ଟ ଆଦି କରି କରି ଭାରାକ୍ରାନ୍ତ ହେଇପଡ଼ିଥାଉ। ତେଣୁ ଶନିବାର ଓ ରବିବାର ଛୁଟି ମିଳିଲେ ନିକଟବର୍ତ୍ତୀ ପର୍ଯ୍ୟଟନ ସ୍ଥଳୀ ବୁଲିଯିବାକୁ ମନ ଛକପକ ହୁଏ। ସେଇକ୍ରମରେ ମଝିରେ ଗୋଟେ ସପ୍ତାହାନ୍ତରେ ମୁଁ ଓ ମୋର ଓଡ଼ିଶାରୁ ଯାଇଥିବା ଜଣେ ବନ୍ଧୁ ଶିମ୍ଳା ଯିବା ପାଇଁ ସ୍ଥିର କଲୁ। ଶିମ୍ଳା ଚଣ୍ଡିଗଡ଼ରୁ ମାତ୍ର ୧୨୫ କି.ମି. ଏବଂ ତିନି ଚାରି ଘଣ୍ଟାର ବାଟ। ତେଣୁ ଆମେ ଆଉ ଜଣେ ତୃତୀୟ ବନ୍ଧୁଙ୍କ କାର୍ରେ ଶନିବାର ସକାଳୁ ଚଣ୍ଡିଗଡ଼ରୁ ବାହାରିଗଲୁ। ବନ୍ଧୁଙ୍କର ଆଉ ଜଣେ ଘନିଷ୍ଠ ବନ୍ଧୁଙ୍କର ଶିମ୍ଳାରେ ଥିବା ଏକ ହୋଟେଲ୍ରେ ସେ ଆମ ରହିବାର ବ୍ୟବସ୍ଥା କରିଥିଲେ। ଆମେ ସେଦିନ ପାର୍କିଂରେ ଗାଡ଼ି ରଖିବା ପରେ ଯେତେବେଳେ କୁଲି ଖୋଜିଲୁ ଆମ ଭାଗରେ ଯେଉଁ ଲୋକଟି ଆସି ଜୁଟିଲା ସେ ପ୍ରାୟ ସତୁରି ବର୍ଷ ବୟସର ହେବ। ଆମର ଧାରଣା ହେଲା ଆମ ତିନି ଜଣଙ୍କର ପ୍ରାୟ ପାଞ୍ଚ ଛଅଟି ବ୍ୟାଗ୍ ସେ ବୁଢ଼ାଲୋକଟି ବୋହି ଉପରକୁ ଯାଇପାରିବ ନାହିଁ। ଆମ ଭିତରେ କଥାହୋଇ କୁଲିଟିକୁ ବଦଳେଇ ଦେବା ପାଇଁ ଲେବର କାଉଣ୍ଟରରେ ଯାଇ କହିଲୁ। ମାତ୍ର ବୁଢ଼ାଲୋକଟି ହାତଯୋଡ଼ି ନେହୁରା ହୋଇ କହିଲା, ସାବ୍ ମେ ଆପ୍କା ସବ୍ ସାମାନ ଲେ ଯାଉଙ୍ଗା। ନାରାଜ ମତ୍ ହୋନା। ଆଜ୍ କାମ କୁଛ୍ ମିଲା ନେହିଁ। ଘର କୈସେ ଚଲେଗା ମେରା? ବୁଢ଼ାଲୋକଟିକୁ ମନା କରିପାରିଲୁ ନାହିଁ। ଆମେ ତାକୁ ପ୍ରସ୍ତାବ ଦେଲୁ ୬ଟି ବ୍ୟାଗ୍ରୁ ତୁ ବରଂ ତିନୋଟି ନେଇ ଯା, ଆମେ ଗୋଟେ ଗୋଟେ ହାତରେ ବୋହିନେବୁ। ମାତ୍ର ବୁଢ଼ା ରାଜି ହେଲାନାହିଁ, ସେ ଦୁଇ କାନ୍ଧରେ ଦୁଇଟି ବ୍ୟାଗ, ହାତରେ ଗୋଟିଏ ଏବଂ ମୁଣ୍ଡରେ ତିନୋଟି ବ୍ୟାଗ୍ ଧରି ଚାଲିବା ଆରମ୍ଭ କଲା। ଉଠାଣିରେ କିଛି ବାଟ ଗଲା ପରେ ପାହା କିଛି ଚଢ଼ିବାକୁ ପଡ଼ିଲା, ତା’ପରେ ପୁଣି ଉଠାଣି ରାସ୍ତା। ଏମିତି କିଛିବାଟ ଗଲା ପରେ ଆମେ ହାଲିଆ ହୋଇ ପଥରବାଡ଼ ଉପରେ ବସିଲୁ। ମାତ୍ର ବୁଢ଼ା ଚାଲିଥାଏ। ବାଟରେ ବୁଢ଼ାକୁ ଅଟକେଇଲୁ ଗୋଟେ ଜାଗାରେ। କହିଲୁ ବସିବା ଟିକେ ସିଝା ବାଦାମ ଖାଇକି ଯିବା। ବୁଢ଼ା ଆମ ପାଇଁ ସିଝା ବାଦାମ ଆଣିଦେଲା। ଆମେ ତାକୁ ପଚାରିଲୁ ଏତେ ବୟସ ହେଲାଣି ତମେ ଏତେ କଷ୍ଟ କାମ କିପରି କରୁ? ସେ ଯାହା କହିଲା, ତା’ର ଅର୍ଥ ହେଲା- ସାହେବ, କାମ ନ କଲେ ଘର କେମିତି ଚଳିବ? ଖାଇବାକୁ ଦବ କିଏ? ମୁଁ ତାକୁ ପଚାରିଲି ଘରେ ଆଉ କିଏ ଅଛି? ସେ କହିଲା ମୋର ଦି’ଟି ସ୍ତ୍ରୀ। ମୁଁ ପଚାରିଲି ଏମିତି କାହିଁକି ଦି’ଟା ବାହାହେଲ? ସେ କହିଲା ପ୍ରଥମ ସ୍ତ୍ରୀ ଆଡୁ ପିଲାପିଲି ହେଲାନି। ତେଣୁ ସେ ବାଧ୍ୟକଲା ଆଉ ଗୋଟେ ବାହା ହୁଅ ଯେ ପିଲାପିଲି ହେଲେ ବୁଢ଼ା ବୟସରେ ଆମକୁ ପୋଷିବେ। ତେଣୁ ମୋ ସ୍ତ୍ରୀର ସାନ ଭଉଣୀକୁ ଆଣି ରଖିଲି। ସେ ବି ଆସି ବୁଢ଼ୀ ହେଲାଣି ମାତ୍ର ତା’ର ବି ପିଲା ହେଲାନି। ଏବେ ଦୁଇଜଣଙ୍କୁ ପୋଷୁଛି। ରୋଜଗାର କରିବା ଲୋକ ମୁଁ ଏକା, ଯାହା ଘରକୁ ନେବି ତିନିଜଣ ବାଣ୍ଟିଖାଇବୁ। ବୁଢ଼ା ତା’ପରେ ଆମକୁ ପଚାରିଲା ସାବ୍ ଆପ୍ କ୍ୟା କରତେ ହୋ। ମୋର ବନ୍ଧୁ କହିଲେ, ମେ ଡକ୍ଟର ହୁଁ, ଦୁସ୍ରା ସାବ୍ ଇଞ୍ଜିନିଅର ହେଁ, ଔର ତିସରା କଲେକ୍ଟର ହେ। ବୁଢ଼ା ଚମକିଉଠି କହିଲା, କଲେକ୍ଟର କୌନ୍ ହେ? ମୁଁ ଆଖିର ଇସାରାରେ କହିଲି ଯେ, ମୁଁ ହିଁ କଲେକ୍ଟର। ବୁଢ଼ା କହିଲା ସାବ୍ ହମ୍ ସୁନା ଥା କଲେକଟରେଁା କେ ବାରେ ମେ। କଭି ଦେଖା ନେହିଁ ଥା। ସାବ୍ ଆପ୍ ତୋ ମା’ବାପ୍ ହୋ, ମେରେ ଲିଏ କୁଛ କର୍ ଦୋ ନା। ମୁଁ ତାଙ୍କୁ ପଚାରିଲି କ୍ୟା ଚାହତେ ହୋ? ବୁଢ଼ା କହିଲା କହିଁ କାମ ପେ ଲଗା ଦିଜିଏ ଆପ୍କା ବଡ଼ା ନାମ ହୋଗା। ମୁଁ ମନେମନେ ଚିନ୍ତାକଲି ଏତେ ବୟସର ଲୋକଙ୍କୁ କିଏ ବା କାମ ଦବ? ତା’ଛଡା ଆମକୁ ଏଠି କିଏ ଚିହ୍ନେ ଯେ ଆମ କଥାରେ ତାକୁ କିଏ ବା ରଖିବ? ବୁଢ଼ା କଥା ଶୁଣିବା ଭିତରେ ଏମିତି ଦି’ଥର ବାଟରେ ବସି ମଧ୍ୟ ଆମେ ଧଇଁସଇଁ ହୋଇ ଶେଷରେ ହୋଟେଲରେ ପହଞ୍ଚିଲୁ। ବୁଢ଼ା ନିର୍ବିକାର ଭାବେ ହୋଟେଲରେ ପହଞ୍ଚି ବ୍ୟାଗ୍ ଓହ୍ଲେଇଲା। କେତେ ପଇସା ହେଲା ପଚାରିଲାରୁ ବୁଢ଼ା କହିଲା ଦେଢ଼ ଶହ ଟଙ୍କା। ମୁଁ ତାକୁ ଦୁଇଶହ ଟଙ୍କା ଦେଇ କହିଲି, ବାକି କା ଛୁଟା ରଖ୍ଲୋ। ବୁଢ଼ା ପଇସା ନ ନେଇ କହିଲା- ସାବ୍ ମେରେ ବାରେ ମେଁ କୁଛ ସୋଚୋ। କହିଁ ପେ କୁଛ ହୋ ଯାଏଗା ତୋ ଶୁକ୍ର ଗୁଜାର ରହୁଁଗା।
ପରଦିନ ସକାଳୁ ଆମେ ମର୍ନିଂୱାକ୍ ସାରି ଫେରିଲା ବେଳକୁ ହୋଟେଲ ପାଖ ଏକ ଛୋଟ ଚା ଦୋକାନରେ ବୁଢ଼ା ବସିଥିବାର ଦେଖିଲୁ। ବୁଢ଼ା ଆମକୁ ଦେଖୁଦେଖୁ ଉଠି ଆସିଲା ଏବଂ ପଚାରିଲା, ସାବ୍ ସବ୍ ଠିକ୍ଠାକ୍ ତୋ ହେ? ଆମେ ତାକୁ ହଁ କଲୁ। ସେ ପଚାରିଲା ସାବ୍ , ମେରେ ବାରେ ମେ କୁଛ ସୋଚା? ମୁଁ ଭାବିଲି ଲୋକଟି ଆଉ ପିଛା ଛାଡ଼ିବ ନାହିଁ। ବନ୍ଧୁ କହିଲେ, ତତେ ସେ ଏଠିକା କଲେକ୍ଟର ବୋଲି ଭାବି କାମଟିଏ ପାଇଁ ଆଶା କରିଚି। ମୁଁ ତାକୁ ଅନୁକମ୍ପାରେ କିଛି ଟଙ୍କା ବାହାର କରି ଯାଚିଲି। ମାତ୍ର ସେ ନେଲାନାହିଁ। କହିଲା, ଯେତେଦିନ ଦେହରେ ବଳଥିବ କାମ କରିଖାଇବି ସିନା ଭିକ ମାଗିବି ନାହିଁ। ବେଳକୁ ବେଳ ମୋର ସେ ବୁଢ଼ାଲୋକଟି ପ୍ରତି ଦରଦ ବଢ଼ିବଢ଼ି ଚାଲୁଥିଲା। ମୋର ମନେପଡୁଥିଲା ଆମର କ୍ଲାସ୍ ନେବାକୁ ଆସିଥିବା ଜଣେ ଅର୍ଥନୀତି ପ୍ରଫେସରଙ୍କ କଥା। ସେ କହୁଥିଲେ ଜଣେ ଭୋକିଲା ଲୋକକୁ ତମେ ଖାଇବାକୁ ଦେଲେ ପୁଣ୍ୟ ହେବ। ଜଣେ ଅଭାବୀ ଲୋକକୁ କିଛି ଅର୍ଥ ସାହାଯ୍ୟ କଲେ ମଧ୍ୟ ଭଲ କାମ ବୋଲି କୁହାଯାଇପାରେ। ମାତ୍ର ସେଥିରେ ତା’ର ସମସ୍ୟାର ସମାଧାନ ହେବନାହିଁ। ତାକୁ ଯଦି ରୋଜଗାରର ବାଟଟିଏ ଧରେଇଦେଇପାରିବ ତେବେ ତାହା ସବୁଠୁ ଭଲକାମ ହେବ। ମୁଁ ମନେମନେ ଭାବୁଥାଏ ବୁଢ଼ା ପାଇଁ କ’ଣ କରିହେବ। ବୁଢ଼ା ତା’ର ହୋଟେଲ ବାଟ ମୁଁହରେ ଜଗିବସିଥାଏ କାଳେ କୋଉ ବାବୁ ଭାୟାଙ୍କର ଲଗେଜ୍ ବୋହି ନେବାକୁ ଭାଗ୍ୟରେ ଜୁଟିବ। ହୋଟେଲର ମ୍ୟାନେଜର ଆମକୁ ଦେଖି ରାତି କିପରି କଟିଲା ବୋଲି ପଚାରିଲେ। ତାଙ୍କ ହୋଟେଲରେ ପୂର୍ବତନ ରୁମ୍ବୟ ନ ଥିବାରୁ ଆମେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିବା କଥା ମନେପକାଇ ସେ ଆମଠୁ କ୍ଷମା ଚାହିଁଲେ ଏବଂ କହିଲେ ଯେ, ମଝିରେ ମଝିରେ ପିଲାମାନେ ଥରେ ଗାଁକୁ ଚାଲିଗଲେ ସହଜେ ଫେରନ୍ତିନି ଡେରିହୁଏ। ସେଇ ସମୟରେ ଏଭଳି ସାମୟିକ ଅସୁବିଧା ହୋଇଥାଏ। ଆମେ ତାଙ୍କ ସହ କଥାହେବା ଭିତରେ ଟିକେ ଆତ୍ମୀୟତା ବଢ଼ିବାରୁ ମୁଁ ତାଙ୍କୁ କହିଲି ଏଭଳି ସମୟରେ ସାମୟିକ ଭାବେ ବୁଢ଼ାଟିକୁ କୋଉ କାମରେ ରଖିଦଉ ନାହାନ୍ତି? ରିସେପ୍ସନିଷ୍ଟ ଚିହିଁକି ଉଠି କହିଲେ, ଏ ବୁଢ଼ା କି କାମ କରିପାରିବ? ଇଏ ବୋଝ ବୋହିବାକୁ ଫିଟ୍ ମାତ୍ର ହୋଟେଲ କାମ ପାଇଁ ଫିଟ୍ ହେବନି। ମୁଁ ତାଙ୍କୁ କାଲିର ଅନୁଭୂତି ବର୍ଣ୍ଣନା କରି ଆଉଥରେ ଅନୁରୋଧ କଲି। ବୋଧହୁଏ ଆମେ ମାଲିକଙ୍କର ଗେଷ୍ଟ ବୋଲି ଆମ କଥାକୁ ସମ୍ମାନ ଦେଇ ମ୍ୟାନେଜର ବୁଢ଼ାକୁ ଡାକି ପଚାରିଲେ ଯେ, ବାସନ ମଜାମଜି ଓ ଘର ପୋଛାପୋଛି, ଝାଡୁ ଆଦି କାମ କରିପାରିବ କି ନାହିଁ? ବୁଢ଼ା ସାଙ୍ଗେ ସାଙ୍ଗେ ହାତଯୋଡ଼ି ହଁ କହିଲା। ରିସେପ୍ସନିଷ୍ଟ ତାକୁ ଗୋଟେ ପୁରୁଣା ରୁମ୍ବଏର ୟୁନିଫର୍ମ ଶାର୍ଟ ଦେଇ କହିଲା, ଏମିତି ଅପରିଷ୍କାର ହୋଇ ଛିଣ୍ଡାମିଣ୍ଡା ଲୁଗାପିନ୍ଧି କାମକୁ ଆସିଲେ ଚଳିବ ନାହିଁ। ହୋଟେଲରେ ବାବୁଭୟାମାନେ ରହିବେ। ଏଠିକି ସଫାସୁତୁରା ହୋଇ ଆସିବାକୁ ପଡ଼ିବ। ଯଦି କାମ କରିବାର ଅଛି କାଲିଠୁ ଆସିବ। ମାସେ କାମ କଲା ପରେ କାମ ଦେଖି ମାଲିକ ଦରମା ଫାଇନାଲ କରିବେ। ବୁଢ଼ା କାନ୍ଦକାନ୍ଦ ହୋଇ ସେ ପୁରୁଣା ଶାର୍ଟଟିକୁ ଦୁଇହାତରେ ଜାକି ସମ୍ଭବତଃ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ମୁଣ୍ଡରେ ଲଗେଇଲା। କହିଲା ସାବ୍, ଭଗବାନ ଆପ୍କା ଭଲା କରେ ଏବଂ ଧୀରେ ଧୀରେ ଆଖି ଆଗରୁ ନିଷ୍କ୍ରାନ୍ତ ହୋଇଗଲା।
ତା’ ପରଦିନ ସକାଳୁ ଆମର ହୋଟେଲ ଛାଡି଼ବା କଥା। ସକାଳୁ କଲିଂବେଲ୍ ଶୁଣି କବାଟ ଖୋଲି ଦେଖେ ତ ବୁଢ଼ା ରୁମ୍ବୟର ପୁରୁଣା ୟୁନିଫର୍ମ ପିନ୍ଧି, ସଜ ଖବରକାଗଜଟିଏ ଧରି ଠିଆହୋଇଛି। ତା’ ମୁହଁରେ ଅଦ୍ଭୁତ ଭଦ୍ଭାସ ସ୍ପଷ୍ଟ ବାରିହୋଇ ପଡୁଥିଲା। ସେ କହିଲା, ସାବ୍ ଆପ୍ ମେରେ ଲିଏ ଭଗବାନ ହୋ … ଆପ ଆଜ୍ ଚଲେ ଯାଓ ଗେ … ମେ ଆପ୍କା ସାମାନ୍ ନୀଚେ ତକ୍ ଜରୁର ଲେକେ ଯାଉଁଗା …। ମଗର ଆଜ ମେ ଆପ୍ସେ ପୈସା ନେହିଁ ଲୁଗାଁ। ବୁଢ଼ାଠୁ ବିଦାୟ ନେଇ ଆସିଲା ବେଳକୁ ଲାଗୁଥିଲା କିଛି ଋଣ ରହିଗଲା ଯେମିତି ଆରଜନ୍ମରେ ଶୁଝିବାକୁ। ମାତ୍ର ବନ୍ଧୁ ମୋର ମତେ କହିଲେ, ଓହୋ ବହୁତ ବଡ଼ ବୋଝ ଗୋଟେ ମୁଣ୍ଡରୁ ଓହ୍ଲେଇଗଲା। ବୁଢ଼ା କାଲିଠୁ ପଛରେ ପଡି଼ଥିଲା। ହୁଏତ ପୂର୍ବଜନ୍ମରୁ କିଛି ଋଣ ତା’ର ବାକି ଥିଲା ବୋଧେ ଶୁଝିବାକୁ !
ମୋ- ୯୪୩୭୨୮୬୫୧୨