ଋଣ ପ୍ରଦାନ ନାଁରେ ୧.୯୬ କୋଟି ଠକେଇ: ୨ ପୂର୍ବତନ ବ୍ୟାଙ୍କ ଅଧିକାରୀ ଗିରଫ

ଭୁବନେଶ୍ୱର/ ସମ୍ବଲପୁର ୨୧।୧୧(ବ୍ୟୁରୋ): ବ୍ୟାଙ୍କ ଋଣ ପ୍ରଦାନ ଆଳରେ ୧.୯୬ କୋଟି ଟଙ୍କା ଠକେଇରେ ସଂପୃକ୍ତ ସିଣ୍ଡିକେଟ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବୁଧବାର ଗିରଫ କରିଛି। ସେମାନେ ହେଲେ ଅଇଁଠାପାଲି ଥାନା ପ୍ରଧାନପଡାରେ ରହୁଥିବା ସୁବାସ ଚନ୍ଦ୍ର ଦାସ ଓ ଅନୁଗୁଳିଆପଡାର ମ୍ୟାରିଆନସ୍‌ ଲାକ୍ରା। ଅଭିଯୁକ୍ତ ସୁବାସ ସମ୍ବଲପୁର ବୁର୍ଲାସ୍ଥିତ ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ମ୍ୟାରିଆନସ୍‌ ସହକାରୀ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରୁ ୨୦୧୬ ମଧ୍ୟରେ ସେମାନେ ସିଣ୍ଡିକେଟ କିଷାନ କାର୍ଡ ସ୍କିମ୍‌ ଜରିଆରେ ୧୯୬ ଜଣଙ୍କୁ ଋଣ ପ୍ରଦାନ କରିଥିଲେ। ଜାଲ୍‌ କାଗଜପତ୍ର ଓ ଫଟୋ ବ୍ୟବହାର କରାଯାଇ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ହିସାବରେ ମୋଟ ୧ କୋଟି ୯୬ ଲକ୍ଷ ଟଙ୍କା ଦିଆଯାଇଥିଲା। ଏପରି କି କେତେଜଣ ମୃତ ବ୍ୟକ୍ତିଙ୍କ ନାମରେ ଋଣ ଟଙ୍କା ହଡ଼ପ ହୋଇଥିଲା। ସହକାରୀ ମ୍ୟାନେଜର ମ୍ୟାରିଆନସ୍‌ କାଗଜପତ୍ର ଯାଞ୍ଚ କରିଥିବାବେଳେ ମ୍ୟାନେଜର ସୁବାସ ଋଣ ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଋଣ ପରିଶୋଧ କରା ନ ଯିବାରୁ ଏହି ବଡ଼ ଧରଣର ଜାଲିଆତି ପଦାକୁ ଆସିଥିଲା। ଏ ନେଇ ଭୁବନେଶ୍ୱରସ୍ଥିତ ସିଣ୍ଡିକେଟ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଚନ୍ଦ୍ରକାନ୍ତ ଦାସମହାପାତ୍ର ଗତ ୬ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲୁୂ୍ୟ ଏକ ମାମଲା (ନଂ.୧୯/୧୯) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବୁଧବାର ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସମ୍ବଲପୁର ଏସ୍‌ଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ୨ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଠକେଇରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବାକୁ ଇଓଡବ୍ଲ୍ୟୁ ପକ୍ଷରୁ କୋର୍ଟରେ ୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। ଅନୁମତି ମିଳିବା ପରେ ୨ ଅଭିଯୁକ୍ତ ସୁବାସ ଓ ମ୍ୟାରିଆନସ୍‌ଙ୍କୁ ରିମାଣ୍ଡରେ ଆଣିଛି।

Share