Categories: ବାଣିଜ୍ୟ

ଋଣ ଫେରସ୍ତ ପ୍ରସ୍ତାବ ଦୋହରାଇଲେ ମାଲ୍ୟା

ଲଣ୍ଡନ,୩୦-୪: ପ୍ରତ୍ୟର୍ପଣ ମାମଲାର ସାମ୍ନା କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ନେଇ ବର୍ଷିଛନ୍ତି। ଏଥିସହ ସେ ତାଙ୍କର ବକେୟା ଋଣ ସମ୍ପୂର୍ଣ୍ଣ ଫେରସ୍ତ ଲାଗି ପ୍ରସ୍ତୁତ ଥିବା ଦୋହରାଇଛନ୍ତି।

ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ମାମଲାରେ ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲା ଚାଲିଛି। ଏହି ୬୩ ବର୍ଷୀୟ ମଦ ବ୍ୟବସାୟୀ ସୋମବାର ସୋସିଆଲ ମିଡିଆ ଜରିଆରେ ବ୍ୟାଙ୍କଗୁଡ଼ିକୁ ଏହି ପ୍ରସ୍ତାବ ଦେଇଛନ୍ତି। ଅର୍ଥର ଅଭାବ କାରଣରୁ ଗତ ମାସରେ ବନ୍ଦ ହୋଇଥିବା ଜେଟ୍‌ ଏୟାରଓ୍ବେଜ ଏବଂ ତାଙ୍କର ବିମାନ କମ୍ପାନୀ କିଙ୍ଗଫିଶର ଏୟାରଲାଇନ୍ସକୁ ନେଇ ମାଲ୍ୟା ଏକାଧିକ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, କିଙ୍ଗଫିଶର ସମେତ ଭାରତରେ ଏକାଧିକ ଏୟାରଲାଇନ୍ସ ବନ୍ଦ ହୋଇଗଲାଣି।  ଜେଟ୍‌ ଦିନେ ବନ୍ଦ ହୋଇଯିବ ଏହା କେହି ଭାବି ନ ଥିଲେ, କିନ୍ତୁ ଏହା ଘଟିଲା। କ୍ଷତି ଯୋଗୁ ବ୍ୟବସାୟ ବନ୍ଦ ହୋଇଯିବା ଏକ ସାଧାରଣ ଘଟଣା। କିନ୍ତୁ ସେ ଶତପ୍ରତିଶତ ଋଣ ଫେରସ୍ତ ଲାଗି ପ୍ରସ୍ତାବ ଦେବା ସତ୍ତ୍ୱେ ସିବିଆଇ/ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତାଙ୍କୁ ଅପରାଧି ଭାବେ ଦର୍ଶାଯାଉଛି। କାହିଁକି ଏପରି ହେଉଛି, କାହିଁକି ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ମାଲ୍ୟା ପ୍ରଶ୍ନ କରିଛନ୍ତି। ପୂର୍ବ ଭଳି ନିଜ ଟୁଇଟ୍‌ରେ ଏହି ମଦ ବ୍ୟବସାୟୀ  କହିଛନ୍ତି ଯେ, କିଙ୍ଗଫିଶର ନେଇଥିବା ଋଣକୁ ଫେରାଇବା ଲାଗି ସେ ରାଜି ଥିବା କହିଥିଲେ ହେଁ ତାଙ୍କ ପ୍ରସ୍ତାବକୁ ଭାରତର ବ୍ୟାଙ୍କଗୁଡ଼ିକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ ଲେଖିଛନ୍ତି ଯେ, କର୍ମଚାରୀଙ୍କୁ ଦରମା ମିଳି ନ ଥିବା ବେଳେ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ନେଇ ଟିଭିରେ ହେଉଥିବା ଆଲୋଚନାକୁ ଦେଖି ଦୁଃଖିତ।

Share