ଋତୁ ବଦଳିଲେ ବି ନଷ୍ଟ ହେବନି କରୋନା ଭୂତାଣୁ !

ଓ୍ବାଶିଂଟନ, ୨୩।୩: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଏହା କିପରି ବ୍ୟାପୁଛି ସେ ନେଇ ବହୁ ଗୁଜବ ମଧ୍ୟ ଶୁଣାଯାଉଛି। କେହି କେହି କରୋନା ଭୂତାଣୁ ଖରାଦିନ ଆସିଲେ ବାୟୁମଣ୍ଡଳର ଉତ୍ତାପରେ ନଷ୍ଟ ହୋଇଯିବ ବୋଲି କହୁଛନ୍ତି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏଭଳି ଯୁକ୍ତିକୁ ମିଥ୍ୟା ବୋଲି କୁହାଯାଇଛି। ଏପର୍ଯ୍ୟନ୍ତ କରୋନା ଭୂତାଣୁ ନେଇ ସଠିକ ଭାବେ କୌଣସି ତଥ୍ୟ ସଂଗୃହୀତ ହୋଇ ନାହିଁ। ତେବେ ଏଭଳି ଭୂତାଣୁ ପ୍ରାୟତଃ ୬୦ରୁ ୭୦ ଡିଗ୍ରୀ ତାପମାତ୍ରାରେ ନଷ୍ଟ ହୋଯାଇଥାନ୍ତି। କିନ୍ତୁ ପୃଥିବୀର କୌଣସି ସ୍ଥାନରେ ଏଭଳି ତାପମାତ୍ରା ଅନୁଭୁତ ହୁଏନାହିଁ। ସେହିପରି ଗରମ ପାଣି ପିଇବା ସହିତ ଉଷୁମ ପାଣିରେ ଗାଧୋଇବା ଏବଂ ଘରର ତାପମାତ୍ରାକୁ ଅପେକ୍ଷାକୃତ ଗରମ ରଖିବା ଉପରେ କେତେକ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଏହାଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ଯେ ନହେବ ତାହା ମିଛ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ଅପରପକ୍ଷରେ ୨୦୦୨ ନଭେମ୍ବରରେ ଦେଖାଦେଇଥିବା ସାର୍ସ ମହାମାରୀ ଜୁଲାଇ ମାସ ମଧ୍ୟଭାଗ ବେଳକୁ ଶେଷ ହୋଇଥିଲା। ଅର୍ଥାତ୍‌ ହୁଏତ ପରିବର୍ତ୍ତିତ ଋତୁର ତାପମାତ୍ରା ତଥା ପରିବେଶରେ ସାର୍ସ ଭୂତାଣୁ ନଷ୍ଟ ହୋଇ ପାରିଥାଏ ବୋଲି ଆମେରିକାର ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଅଧିକ ତାପମାତ୍ରାରେ କରୋନା ଭୂତାଣୁ ନିଷ୍କ୍ରିୟ ହୋଇପାରେ। ପୁଣି ଉପଯୁକ୍ତ କ୍ଷେତ୍ରରେ ଏହା ପୁଣି ବଂଶ ବିସ୍ତାର କରି ପାରିବ ବୋଲି ରିପୋର୍ଟରେ କୁହାଯାଇଛି।