ଋଷିକୁଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ

ଗଞ୍ଜାମ,୨୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ବେଳାଭୂମିଠାରେ ଚଳିତବର୍ଷ ବିଳମ୍ବରେ ହେଲେ ମଧ୍ୟ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି l ଶନିବାର ଭୋରରେ ପ୍ରାୟ ୨୨୪୮ କଇଁଛ ଅଣ୍ଡା ଦେଇଥିବା ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ସୂଚନା ଦେଇଛନ୍ତି l ଏହି ପ୍ରକ୍ରିୟା ଗତ ଫେବୃୟାରୀ ମାସରୁ ଆରମ୍ଭ ହୋଇଥିଲେ ହେଁ କାଁ ଭାଁ କଇଁଛ ଅଣ୍ଡା ଦେଉଥିଲେ l ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଶନିବାର ସର୍ବାଧିକ କଇଁଛ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି l ପୂର୍ବରୁ ୨୭୮ କଇଁଛ ଅଣ୍ଡା ଦେଇଥିଲେ l ଦେଶବ୍ୟାପୀ କରୋନା ଭୂତାଣୁ ଯୋଗୁ କଇଁଛଙ୍କ ଅଣ୍ଡା ଦେବା ସ୍ଥାନକୁ ବନ ବିଭାଗ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି l ପୂର୍ବ ଆଶଙ୍କା ଅନୁଯାୟୀ, ଜିଲା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଖଲ୍ଲିକୋଟ ରେଞ୍ଜର ମାର୍ଥା, ରମ୍ଭା ବନାଞ୍ଚଳ ଅଧିକାରୀ ସୋମନାଥ ମଲ୍ଲିକ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ। କଇଁଛଙ୍କ ସୁରକ୍ଷା ଲାଗି ବ୍ୟାରିକେଡ୍‌ ନିର୍ମାଣ ସହ ବିଭିନ୍ନ ସ୍ଥାନରେ କୋଷ୍ଟଗାର୍ଡ ନିୟୋଜିତ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।