ଋଷିକୂଲ୍ୟାରେ ଭାସିଯାଇ ନିଖୋଜ ଥିବା ସିଲିଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,୨୬ା୮ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଋଷିକୂଲ୍ୟା ନଦୀକୁ ଯାଇ ୫ ଯୁବତୀ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାରେ ନିଖୋଜ ଥିବା ସିଲି ବେହେରାଙ୍କ ମୃତହେହ ସୋମବାର ସକାଳେ ହିଞ୍ଜିଳିକାଟୁ ବ୍ଲକ ଗିରିଆ ନଦୀତଟରୁ ଉଦ୍ଧାର ହୋଇଛି। ସକାଳେ ଗିରିଆ ନଦୀ ତଟରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ସିଲିଙ୍କ ପରିବାରଙ୍କୁ ସୂଚନା ଦେଇଥିଲା। ପରିବାରବର୍ଗ ପହଞ୍ଚି ସିଲିଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ପୋଲିସ (କେସ୍‌ ନଂ.୨୧/୧୯)ରେ ଅପମୃତ୍ୟୁ ମାମଲା ରୁଜୁକରି ମୃତହେହ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସିଲିଙ୍କ ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ରବିବାର ପୂର୍ବାହ୍ନରେ ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଋଷିକୂଲ୍ୟା ନଦୀକୁ ଯାଇ ୫ ଜଣ ଯୁବତୀ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ତେବେ ସିଲି ନିଖୋଜ ଥିଲେ। ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ନଦୀର ବିଭିନ୍ନ ସ୍ଥାନରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସିଲିଙ୍କ ପତ୍ତା ମିଳି ନ ଥିଲା।