Categories: ଖେଳ

ଏଆଇଏଫ୍‌ଏଫ୍‌ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ, ୯ା୭ (ପି.ଟି.)-ଭାରତୀୟ ଫୁଟ୍‌ବଲ ଏବେ ସଙ୍କଟରେ, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପର ଆବଶ୍ୟକ ପଡ଼ିଛି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେତେକ ଆଇ-ଲିଗ୍‌ କ୍ଲବ। ତଦନ୍ତ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଚିଠିରେ ମୋହନବାଗାନ ପରିଚାଳନା ନିର୍ଦ୍ଦେଶକ ସ୍ବପନ ସାଧନ ବୋଷଙ୍କ ସ୍ବାକ୍ଷର ରହିଛି। ମୋହନବାଗାନ ବ୍ୟତୀତ ଇଷ୍ଟ ବେଙ୍ଗଲ, ଚର୍ଚ୍ଚିଲ ବ୍ରଦର୍ସ, ଏଫ୍‌ସି ଗୋଆ, ଗୋକୁଳମ କେରଳ ଏଫ୍‌ସି, ମିନର୍ଭା ପଞ୍ଜାବ ଏଫ୍‌ସି ଏବଂ ଆଇଜଲ ଏଫ୍‌ସି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏଆଇଏଫ୍‌ଏଫ୍‌ ନିକଟରେ ଏହାର ଏକ ପ୍ରେସ୍‌ ଇସ୍ତାହାରରେ ଇଣ୍ଡିଆନ ସୁର ଲିଗ୍‌ (ଆଇଏସଏଲ୍‌)କୁ ଦେଶର ଶ୍ରେଷ୍ଠ ଲିଗ୍‌ର ମାନ୍ୟତା ଦେବା ଲାଗି ଚାହୁଁଛି ବୋଲି ସୂଚନା ଦେଇଥିଲା। ଏହାର କୌଣସି ପ୍ରାସଙ୍ଗିକତା ନାହିଁ। କାରଣ ୨୦୦୭ରେ ଆଇ-ଲିଗ୍‌ ଦେଶର ପ୍ରଥମ ପ୍ରଫେଶନାଲ ଲିଗ୍‌ ଭାବେ ଜନ୍ମ ନେଇଥିବା ବେଳେ ଆଇଏସଏଲ୍‌ର ଉତ୍ପତ୍ତିି ହେଉଛି ୨୦୧୩ରେ। ଏଆଇଏଫ୍‌ଏଫ୍‌ ଆଇ-ଲିଗ୍‌କୁ ଦ୍ୱିତୀୟ ଲିଗ୍‌ର ମାନ୍ୟତା ଦେବାକୁ ମସୁଧା ଚଳାଇଛି। ଫୁଟ୍‌ବଲ ଭାରତ ସମେତ ସମଗ୍ର ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ। ମାତ୍ର ଏଆଇଏଫ୍‌ଏଫ୍‌ର ପରିଚାଳନାଗତ ତ୍ରୁଟି ପାଇଁ ଭାରତୀୟ ଫୁଟ୍‌ବଲର ମାନ କ୍ରମେ ହ୍ରାସ ପାଇବାରେ ଲାଗିଛି। ଏହାର ଏକ ତଦନ୍ତ ଆବଶ୍ୟକ ବୋଲି ଆଇ-ଲିଗ୍‌ କ୍ଲବଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Share