Categories: ଖେଳ

ଏଆଇଏଫ୍‌ଏଫ୍‌ ହିରୋ ଏଲିଟ ଲିଗ୍‌: ୧୮ ବର୍ଷରୁ କମ୍‌ ଓଡ଼ିଶା ଏଫ୍‌ସିର ବିଜୟ

ନୂଆଦିଲ୍ଲୀ,୨୧।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମର ୨ ନମ୍ବର ଟ୍ରେନିଂ ପିଚ୍‌ରେ ଖେଳାଯାଇଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ହିରୋ ଏଲିଟ୍‌ ଲିଗ୍‌ରେ ଓଡ଼ିଶା ଏଫ୍‌ସିର ୧୮ ବର୍ଷରୁ କମ୍‌ ଦଳ ପ୍ରଥମ ବିଜୟ ହାସଲ କରିଛି। ଓଡ଼ିଶା ୨-୦ ଗୋଲରେ ଗୁରୁବାର ୟୁଥ ଫୁଟବଲ କ୍ଲବକୁ ହରାଇ ୨୦୧୯-୨୦ ସିଜନର ପ୍ରଥମ ବିଜୟ ହାସଲ କରିଛି। ମ୍ୟାଚ୍‌ ଆରମ୍ଭରୁ ଓଡ଼ିଶା ପ୍ରଭାବ ବିସ୍ତାର କରି ଖେଳିଥିଲା। ନବମ ମିନିଟ୍‌ରେ ରିଷଭ ଡୋବ୍ରିୟାଲ ଗୋଲ ଦେଇଥିଲେ ଓ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଓଡ଼ିଶା ୧-୦ ଗୋଲରେ ଅଗ୍ରଣୀ ହୋଇଥିଲା।
ପାର୍ଶ୍ୱ ପରିବର୍ତ୍ତନ ପରେ ଓଡ଼ିଶା ମଧ୍ୟ ତା’ର ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲା। ୬୮ତମ ମିନିଟ୍‌ରେ ଅକ୍ଷୁନା ତ୍ୟାଗୀ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କାରାଇଥିଲେ। ଅନ୍ୟପଟେ ୟୁଥ୍‌ କ୍ଲବ ତରଫରୁ କୌଣସି ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ଓଡ଼ିଶା ବିଜୟୀ ହୋଇଥିଲା। ତେବେ ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ପଞ୍ଜାବ ଏଫ୍‌ସି ବିପକ୍ଷରେ ୨-୨ ଗୋଲରେ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ଆସନ୍ତା ୨୬ ତାରିଖରେ ଓଡ଼ିଶା ତା’ର ତୃତୀୟ ତଥା ପରବର୍ତ୍ତୀ ମ୍ୟାଚ୍‌ରେ ମାକ୍ସିମସ ପ୍ରାଇମ୍‌ ସ୍ପୋଟର୍‌ସକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share