Categories: ଜାତୀୟ

ଏଆଇସିସିରୁ ପ୍ରଶିକ୍ଷଣ ନେବେ ୩୩ ସାଙ୍ଗଠନିକ ଜିଲାର ଯୁବକ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଜିଲା କମିଟି, ପ୍ରଦେଶ କଂଗ୍ରେସ କମିଟି ଆଦିର ପୁନର୍ଗଠନ ହେବ। ଏଥିଲାଗି ବିଶେଷ ସମୟ ମଧ୍ୟ ଲାଗିବ ନାହିଁ ଖୁବ୍‌ଶୀଘ୍ର ହେବ ବୋଲି ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ନିକଟରେ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଏଥର ୪୦ରୁ ୫୦ବର୍ଷ ବୟସର ନେତାଙ୍କୁ ବିଶେଷଭାବେ ଜିଲା ସଭାପତି ପଦରେ ଅବତରଣ କରାଯିବ। ଯେଉଁ ଯୁବକମାନେ କିଛି କରିବା ପାଇଁ ଇଚ୍ଛା କରୁଥିବେ ସେମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯିବା ସହିତ ଦଳ ତରଫରୁ ଏକ ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମ ହେବ ବୋଲି ସେ କହିଥିଲେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଯବଗୋଷ୍ଠୀକୁ ଦଳରେ ବିଶେଷ ପ୍ରାଧାନ୍ୟ ଦେବା ପାଇଁ ଏକ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି। ଜିଲାସ୍ତରରୁ ଯୁବକମାନଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଏକ ପ୍ରଶିକ୍ଷଣ ଦେବ। ଏଥିପାଇଁ ପ୍ରତ୍ୟେକ ଜିଲାରୁ ଜଣେ ଲେଖା ଅର୍ଥାତ୍‌ ୩୩ ସାଙ୍ଗଠନିକ ଜିଲାରୁ ଜଣେ ଲେଖା ଏଆଇସିସି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେହି ଯୁବଗୋଷ୍ଠୀ ପ୍ରଶିକ୍ଷଣରୁ ଫେରିବାପରେ ଗ୍ରାମାଞ୍ଚଳସ୍ତରର ଯୁବକଙ୍କୁ ଏଆଇସିସି ପକ୍ଷରୁ ଦିଆଯିବା ମନ୍ତ୍ରକୁ ବୁଝାଇବେ ବୋଲି ପଟ୍ଟନାୟକ କହିଛନ୍ତି। ତେବେ ଦଳରେ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯିବା ଘଟଣାକୁ କିନ୍ତୁ ବହୁ ନେତା ସମାଲୋଚନା କରିଛନ୍ତି। କେତେଜଣ ବରିଷ୍ଠ ନେତା କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଅଧିକାଂଶ ଯୁବକଙ୍କୁ ଟିକେଟ ଦିଆଯିବ ବୋଲି ପିସିସି ସଭାପତି କହିଥିଲେ। ମାତ୍ର ବାସ୍ତବରେ ଓଲଟା ହେଲା, ଯୁବକଙ୍କୁ ଟିକେଟ ମିଳିବା କ୍ଷେତ୍ରରେ ପାତରଅନ୍ତର କରାଗଲା। ତେବେ ପୂର୍ବତନ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ କହିଛନ୍ତି, ଯଦି ଯୁବକଙ୍କୁ ପ୍ରାଧାନ୍ୟ ଦେବା କଥା ଉଠୁଛି ତେବେ ପିସିସି ସଭାପତି ମଧ୍ୟ ଜଣେ ଯୁବକ ହେବା ଦରକାର। ଯେଉଁ ଯୁବ ନେତୃତ୍ୱ ରାଜ୍ୟସାରା ବୁଲି ଦଳର ସଙ୍ଗଠନ ବନାଇଥିବ ସେ ହିଁ ଜାଣିଥିବେ କେଉଁ ଜିଲାରେ ପ୍ରକୃତ ଯୁବକମାନେ କାର୍ଯ୍ୟ କରୁଛନ୍ତି। ଏଠି ବେପାରୀମାନଙ୍କ ପୁଅଙ୍କୁ ଥଇତାନ କରିବାକୁ ଲକ୍ଷ୍ୟ ରଖାଯାଉଛି। ଯେଉଁ ଛାତ୍ର, ଯୁବ ନେତାମାନେ ଦଳ ପାଇଁ ଖଟୁଛନ୍ତି ସେମାନଙ୍କୁ ବିଦା କରାଯାଉଛି। ତେଣୁ ଯୁବକଙ୍କୁ ପ୍ରାଧାନ୍ୟ ଜଣେ ଯୁବ ନେତୃତ୍ୱ ଦେଇପାରିବେ ବରିଷ୍ଠ ନୁହନ୍ତି ବୋଲି ଇତିଶ କହିଛନ୍ତି।

Share