ବେଙ୍ଗାଲୁରୁ,୮ା୬: ମହାକାଶରେ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ସ୍ଥିତିଗତ ସଚେତନତା କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ଅଫ୍ ଅବ୍ଜରରେଶନାଲ ସାଇନ୍ସେସ୍ (ଏଆର୍ଆଇଇଏସ୍) ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛି। ମହାକାଶର ବର୍ଜ୍ୟ ସାମଗ୍ରୀଜନିତ ବିପଦଠାରୁ ଭାରତୀୟ ମହାକାଶ ସମ୍ପତ୍ତିର ସୁରକ୍ଷାରେ ଏହି ଏମ୍ଓୟୁ ଉପଯୋଗୀ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏଆର୍ଆଇଇଏସ୍ରେ ପର୍ଯ୍ୟବେକ୍ଷଣ ସମ୍ବନ୍ଧୀୟ ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ବାୟୁମଣ୍ଡଳ ବିଜ୍ଞାନରେ ଦୀର୍ଘବର୍ଷ ଗବେଷଣା କରିଥିବା ବିଶେଷଜ୍ଞମାନେ ରହିଛନ୍ତି। ଘରୋଇ ସଂସ୍ଥାଗୁଡ଼ିକ ବହୁସଂଖ୍ୟାରେ ମହାକାଶ ବିଜ୍ଞାନ କ୍ଷେତ୍ରକୁ ପ୍ରବେଶ କରିବା ଯୋଗୁ ବର୍ଜ୍ୟବସ୍ତୁ ପରିମାଣ ବଢ଼ିଚାଲିଛି। ମହାକାଶକୁ ଅଧିକ ସଂଖ୍ୟାରେ କ୍ଷୁଦ୍ର ସାଟେଲାଇଟ୍ର ପ୍ରବେଶ ସହିତ ଅକାମୀ ସାଟେଲାଇଟ ସଂଖ୍ୟା ବଢ଼ୁଛି ବୋଲି ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କିରନ କୁମାର କହିଥିଲେ। ଉକ୍ତ ବସ୍ତୁଗୁଡ଼ିକ କୌଣସି ମହାକାଶ ସଂସ୍ଥାର ନିୟନ୍ତ୍ରଣରେ ନ ଥିବାରୁ ଯେକୌଣସି ସମୟରେ ଅନ୍ୟ ସାଟେଲାଇଟ୍ର କକ୍ଷପଥ ମଧ୍ୟକୁ ଆସିଯାଇପାରେ। ଏଭଳି ଦୁର୍ଘଟଣାରୁ ବର୍ତ୍ତିବା ଲାଗି ମହାକାଶ ସଂସ୍ଥାଗୁଡ଼ିକୁ ସମ୍ପୃକ୍ତ ସାଟେଲାଇଟର କକ୍ଷପଥ ଏବଂ ଉଚ୍ଚତାରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଇସ୍ରୋ ମଧ୍ୟ ମହାକାଶରେ ଘୂରୁଥିବା ବର୍ଜ୍ୟ ସାମଗ୍ରୀରୁ ନିଜ ସାଟେଲାଇଟକୁ ସୁରକ୍ଷିତ ରଖିବା ପାଇଁ ସାର୍ବଜନିନ କ୍ଷେତ୍ରରୁ ତଥ୍ୟ ଉପଯୋଗ କରିଥାଏ। ଇସ୍ରୋ ଏବଂ ଏଆର୍ଆଇଇଏସ୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଥିବାରୁ ଏହା ଭବିଷ୍ୟତରେ ମହାକାଶ ବସ୍ତୁଗୁଡ଼ିକୁ ଠାବ କରିବା ପାଇଁ ଅପ୍ଟିକାଲ ଟେଲିସ୍କୋପ୍ ଅବ୍ଜରଭେଶନ କେନ୍ଦ୍ର ସ୍ଥାପନ କରିବାରେ ସହାୟକ ହେବ।