ଏଇ ଭାରତରେ

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ ହେଉଛି ମଲାଣା। ଏହି ଗାଁରେ ନିଜସ୍ବ ସଂସଦ ରହିଛି। ଗୋଟିଏ ହେଉଛି ଜ୍ୟେଷ୍ଠାଙ୍ଗ ଏବଂ ଅନ୍ୟଟି ହେଉଛି ନିମ୍ନାଙ୍ଗ। ଗାଁ ଲୋକେ ନିଜକୁ ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡରଙ୍କ ବଂଶଧର ବୋଲି କୁହନ୍ତି। ଏଠାକାର ଆଇନ ବ୍ୟବସ୍ଥା ପୁରାତନ ଏଥେନ୍ସ ସହିତ ମେଳ ଖାଇଥାଏ। ଆଲେକ୍‌ଜାଣ୍ଡରଙ୍କ ଭାରତ ଆକ୍ରମଣ ସମୟରେ କିଛି ଗ୍ରୀକ୍‌ ସୈନ୍ୟ ଏଠାରେ ରହିଯାଇଥିବା କୁହାଯାଏ। ପରେ ସେମାନଙ୍କ ବଂଶ ଧୀରେ ଧୀରେ ବଢ଼ିଥିଲା। ଏବେ ଗାଁରେ ୧୨୫ ପରିବାର ବାସ କରୁଛନ୍ତି। ଗାଁର ଜନସଂଖ୍ୟା ପାଖାପାଖି ୧୨ଶହ। ବାହାର ଲୋକଙ୍କ ସହିତ ଗାଁ ଲୋକେ ସମ୍ପର୍କ ରଖିବାକୁ ପସନ୍ଦ କରି ନ ଥାନ୍ତି। ଗାଁ ଲୋକେ କନାସା ଭାଷାରେ କଥାବାର୍ତ୍ତା ହୋଇଥାନ୍ତି। ଏଠାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସେମାନେ ଏଠାକାର କୌଣସି ଦ୍ରବ୍ୟ ଛୁଇଁବାକୁ ମନା। କୌଣସି ପର୍ଯ୍ୟଟକ ଗାଁର ଦ୍ରବ୍ୟାଦି ଛୁଇଁଲେ ସେଥିଲାଗି ୧ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିଥାଏ।