ଏଇ ଭାରତରେ

ଈଶ୍ୱର ଏକ। ତାଙ୍କ ନାମରେ ଯେଉଁଠି ଯେତେ ପ୍ରକାର ରଙ୍ଗ-ରୂପ- ଆକାରର ପୀଠ ହୋଇଥାଉନା କାହିଁକି ତାହା ଶାଶ୍ୱତ ଓ ସମସ୍ତଙ୍କ ପାଇଁ ସମାନ। ଏହି ମର୍ମକୁ ଭଲଭାବେ ଉପଲବ୍ଧି କରିଛନ୍ତି ଝାଡ଼ଖଣ୍ଡ କୋଡରମାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ରାଜାବର ସିଆର୍‌ପିଏଫ୍‌ କ୍ୟାମ୍ପର କମ୍ପାନୀ କମାଣ୍ଡର ମହମ୍ମଦ ଇଜାଜ ଖାନ୍‌। ସେ ଯେଉଁ ସନ୍ଦେଶ ଦେଇଛନ୍ତି ତାହା ସୁଦୂରପ୍ରସାରୀ। ଇଜାଜ ସର୍ବଧର୍ମ ସଦ୍‌ଭାବର ପ୍ରତୀକ ପାଲଟିଯାଇଛନ୍ତି। ମହମ୍ମଦ ଇଜାଜ ଜଣେ ମୁସଲମାନ ହୋଇ ବି ସେଠାକାର ଗ୍ରାମବାସୀଙ୍କ ସହଯୋଗରେ ସିଆର୍‌ପିଏଫ୍‌ କ୍ୟାମ୍ପସ ମଧ୍ୟରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରରେ ଭଗବାନ ରାମ, ରାଧା-କୃଷ୍ଣ ଓ ହନୁମାନଙ୍କ ସହ ଅନ୍ୟ ଦେବଦେବୀଙ୍କୁ ସ୍ଥାପନା କରାଯାଇଛି। ଯଥାବିଧି ଯବାନମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନିୟମିତ ପୂଜାର୍ଚ୍ଚନା କରୁଛନ୍ତି। ଇଜାଜ ସିଆର୍‌ପିଏଫ୍‌ କମାଣ୍ଡର ବିଷ୍ଣୁ ଗୌତମଙ୍କ ଅନୁମତି ନେଇ ଏହି ମନ୍ଦିର ନିର୍ମାଣ କରିଥିବାରୁ ମନ୍ଦିର କାନ୍ଥରେ ବିଷ୍ଣୁ ଗୌତମଙ୍କ ସହ ମହମ୍ମଦ ଇଜାଜଙ୍କ ନାମ ବି ଲେଖାଯାଇଛି। ଏହି ମନ୍ଦିରରେ ସବୁ ଧର୍ମର ଯବାନ ପୂଜା କରିଥାନ୍ତି। ଇଜାଜ ଅବସର ନେଇ ବିହାରର ସାସାରାମରେ ରହୁଥିଲେ ବି ସେ ହିନ୍ଦୁ ମୁସଲମାନ ଏକତାର ଯେଉଁ ମଶାଲ ଜଳାଇଦେଇଛନ୍ତି ତାହା ଜ୍ଞାନାଲୋକ ବାଣ୍ଟି ଚାଲିବ,ଏଥିରେ ସନ୍ଦେହନାହିଁ। ଏହି ମନ୍ଦିରକୁ ପୂଜାକରିବା ପାଇଁ ଯାଉଥିବା ଶ୍ରଦ୍ଧାଳୁମାନେ ସର୍ବଧର୍ମ ସମନ୍ବୟର ଶିକ୍ଷା କରିବା ସହ ଇଜାଜଙ୍କୁ ମନେପକାଉଛନ୍ତି।