ଏଇ ଭାରତରେ

ସହକର୍ମୀଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ବୋହିନେଲେ ମହିଳା ଅଙ୍ଗନଓ୍ବାଡ଼ି କର୍ମୀ। ମଧ୍ୟପ୍ରଦେଶର କଟ୍‌ନି ଜିଲାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ମହିଳା ଅଙ୍ଗନଓ୍ବାଡି କର୍ମୀଙ୍କୁ ଶେଷ ବିଦାୟ ଦେବାକୁ ଏକାଠି ହୋଇଥିଲେ ଆଖପାଖ ଅଞ୍ଚଳର ସମସ୍ତ ମହିଳା ଅଙ୍ଗନଓ୍ବାଡି କର୍ମୀ। ସମାଜର ରୁଢ଼ିବାଦୀ ଚିନ୍ତାଧାରାକୁ ଏହି ମହିଳାମାନେ ବଦଳାଇ ଦେଇଛନ୍ତି। କଟ୍‌ନି ଜିଲାର ବିଜୟରାଘବଗଡ଼ ବ୍ଲକ ଅଧୀନରେ ଅଙ୍ଗନଓ୍ବାଡି କର୍ମୀ ଭାବେ କାମ କରୁଥିଲେ ପ୍ରେମା କୋଲ। ବୁଧବାର ତାଙ୍କର ହଠାତ୍‌ ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପାଇବା ପରେ ସେହି ବ୍ଲକ ଅଧୀନରେ ଥିବା ସମସ୍ତ ମହିଳା ଅଙ୍ଗନଓ୍ବାଡି କର୍ମୀ ଏକାଠି ହୋଇଥିଲେ। ପ୍ରେମାଙ୍କ ସ୍ବାମୀ ରୋଗଗ୍ରସ୍ତ ହୋଇଥିବା ବେଳେ ତାଙ୍କର ୧୦ ବର୍ଷର ପୁଅ ଓ ୧୫ ବର୍ଷର ଝିଅ ଅଛନ୍ତି। ତେବେ ପ୍ରେମା ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ତାଙ୍କର ହଠାତ୍‌ ମୃତ୍ୟୁ ହୋଇଯିବା ଯେମିତି ପରିବାର ଉପରେ ଆକାଶ ଛିଡିପଡିବା ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରେମାଙ୍କର ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ କିଛି ଚିନ୍ତାକରି ପାରୁ ନ ଥିବା ବେଳେ ଏମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ ବିଜୟରାଘବଗଡ଼ ବ୍ଲକ ଅଧୀନରେ କାମ କରୁଥିବା ସମସ୍ତ ମହିଳାକର୍ମୀ। ଏଠାରେ ସାଧାରଣତଃ ପୁରୁଷମାନଙ୍କ ଦ୍ୱାରା ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ପ୍ରେମାଙ୍କ ଅନ୍ତିମ ସଂସ୍କାରରେ ଦେଖାଦେଇଥିଲା ବ୍ୟତିକ୍ରମ। ମହିଳା ଅଙ୍ଗନଓ୍ବାଡି କର୍ମୀମାନେ ପ୍ରେମାଙ୍କ ଅନ୍ତିମ ସଂସ୍କାର ପାଇଁ କିଛି କିଛି ଅର୍ଥ ଚାନ୍ଦା କରିବା ସହ ତାଙ୍କ ମୃତଦେହକୁ ଶ୍ମଶାନ ପର୍ଯ୍ୟନ୍ତ କାନ୍ଧେଇ ନେଇଯାଇଥିଲେ। ଏହି ସମୟରେ ସମସ୍ତଙ୍କ ଆଖିର ଲୁହ ସାରା ପରିବେଶକୁ ଶୋକାକୁଳ କରି ଦେଇଥିଲା।