ଏଇ ଭାରତରେ

ଉତ୍ତରପ୍ରଦେଶ ମିର୍ଜାପୁରର ଅହୋରାହ ଥାନା ଅନ୍ତର୍ଗତ ବରାହୀ ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ଏହାକୁ ୩୫୦ ବର୍ଷର ପୁରୁଣା ମେଳା ବୋଲି କୁହାଯାଏ। ସ୍ଥାନୀୟ ଲୋକେ ଏହାକୁ ଭୂତମେଳା କୁହନ୍ତି। କାରଣ ଏଠାରେ ରାତିହେଲେ ଭୂତପ୍ରେତ ଚଳାଚଳ କରନ୍ତି ବୋଲି ଏହି ମେଳାର ନାମ ଏପରି ରଖାଯାଇଛି। ଦୀପାବଳି ପରେ ଏକାଦଶୀ ତିଥିରେ ୩ ଦିନ ଲାଗି ଏହି ମେଳା ଅନୁଷ୍ଠିତ ହୁଏ। ଏଠାରେ ଥିବା ଏକ ସମାଧିକୁ ପୂଜା କରାଯାଇଥାଏ। ଏହି ସମାଧି ହେଉଛି ବେଚୁବୀରଙ୍କର ଆଉ ଏହା ନିକଟରେ ରହିଛି ତାଙ୍କ ସ୍ତ୍ରୀ ବରାହୀଙ୍କ ସମାଧି। ଲୋକଙ୍କ ବିଶ୍ୱାସ ଅନୁଯାୟୀ ଯେଉଁମାନଙ୍କ ଉପରେ ଭୂତପ୍ରେତ ସବାର ହୋଇଥାଆନ୍ତି ତାକୁ ଦୂରେଇବା ପାଇଁ ଲୋକେ ଏଠାକୁ ଆସିଥାଆନ୍ତି। ବର୍ଷ ବର୍ଷ ଧରି ଏଠାକୁ ଆସୁଥିବା ଲୋକେ ସୁଫଳ ପାଆନ୍ତି ବୋଲି କୁହନ୍ତି। କେବଳ ସେତିକି ନୁହେଁ ଯେଉଁମାନଙ୍କର ସନ୍ତାନସନ୍ତତି ହେଉ ନ ଥାଏ ସେମାନେ ଏହି ମେଳାକୁ ଆସିଲେ ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ। କେବଳ ଅର୍ଦ୍ଧଶିକ୍ଷିତ ନୁହେଁ ବରଂ ଶିକ୍ଷିତ ଲୋକେ ମଧ୍ୟ ଏଠାକୁ ଆସି ପୂଜାର୍ଚ୍ଚନା କରୁଥିବା ଦେଖାଯାଏ।