ଏଇ ଭାରତରେ

ସମ୍ବିଧାନର ଧାରା ୨୧(କ)ରେ ୬ରୁ ୧୪ ବର୍ଷ ବୟସର ସବୁ ପିଲାଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ମଧ୍ୟପ୍ରଦେଶର ନିମୁଚ ଜିଲା ଖେଦା ଭୁଜ ଗାଁରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଏହି ଗାଁର ୫୦ଟି ଆଦିବାସୀ ପରିବାରର ପିଲାଙ୍କ ପାଇଁ ୪ ବର୍ଷ ହେବ ଏହି ଅଧିକାର ଯେମିତି ଛିନ୍ନ କରାଯାଇଛି। ୨୦୧୫ରେ ଗାନ୍ଧୀସାଗର ଅଭୟାରଣ୍ୟ ଅଞ୍ଚଳର ରାମପୁର ତହସିଲ ଅନ୍ତର୍ଗତ ଚାଇଁପୁରରୁ ଏହି ଆଦିବାସୀ ପରିବାରଗୁଡ଼ିକୁ ଖେଦାକୁ ବିସ୍ଥାପିତ କରାଯାଇଥିଲା। କିନ୍ତୁ ଖେଦାକୁ ଆସିବା ପରଠାରୁ ସେହି ପରିବାରରେ ଥିବା ପିଲାମାନେ ଆଜିଯାଏ ସ୍କୁଲ ଯାଇନାହାନ୍ତି। ତିନି କିମି ପରେ ଆଉ ଏକ ଗାଁରେ ସ୍କୁଲ ଥିଲେ ବି ହିଂସ୍ରଜନ୍ତୁଙ୍କ ବିପଦ ଯୋଗୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ପଠାଉନାହାନ୍ତି। ସେମାନେ ଦିନମଜୁରିଆ ଭାବେ କାମ କରୁଥିବାରୁ ତେଣୁ ପିଲାମାନଙ୍କୁ ସ୍କୁଲରେ ଛାଡି ଫେରିବା ପରେ କାମକୁ ଯିବା ସମ୍ଭବ ହେଉନି ବୋଲି କହନ୍ତି ଗ୍ରାମବାସୀ। ପିଲାମାନେ ଘରେ ଛୋଟ ଶିଶୁର ଯନତ୍ ନେଉଛନ୍ତି ନ ହେଲେ ଘର କାମ କରୁଛନ୍ତି। ଗାଁରେ ବି ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଗାଁକୁ ଆସିଥିବା ରାସ୍ତାର ଶେଷମୁଣ୍ଡରେ ରହିଛି। ବର୍ଷାରେ ବିଦ୍ୟୁତ୍‌ ଖୁଣ୍ଟ ନଇଁ ତାର ଅତି ପାଖରେ ଥିବାରୁ ସେଠାକୁ ଯିବାରେ ବିପଦ ରହିଛି। ଜିଲା ଯୋଜନା କମିଟିର ଜଣେ ଅଧିକାରୀ କହିଛନ୍ତି ଯେ, ଯେହେତୁ ୩ କିଲୋମିଟର ମଧ୍ୟରେ ଏକ ସ୍କୁଲ ରହିଛି ସେଥିପାଇଁ ସେହି ଗାଁରେ ନୂଆ ସ୍କୁଲ କରାଯାଇପାରୁନାହିଁ। ଖେଦାରେ ସ୍କୁଲ ସମସ୍ୟା ନେଇ ଶିକ୍ଷା ବିଭାଗ ସହ ପରାମର୍ଶ କରାଯାଇ ଶୀଘ୍ର ସମାଧାନ କରାଯିବ ବୋଲି ନିମୁଚର ଆଡିଶନାଲ କଲେକ୍ଟର କହିଛନ୍ତି।