ଏଇ ଭାରତରେ

ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡି ହେବା ପରେ ପୋଲିସ ଦ୍ୱାରା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯାଉଛି। ଗୋଟିଏ ଗାଡି ଉପରେ ଯେଭଳି ଜରିମାନା ଆଦାୟ କରାଯାଉଛି ତାହା ଚାଳକଙ୍କ ହୋସ୍‌ ଉଡାଇଦେଉଛି। ଏମିତିକି ଜରିମାନା ଅଧଲକ୍ଷ ପାଖାପାଖି ବି ହୋଇଯାଉଛି। ଖାଲି ଚାଳକ କାହିଁକି ଖୋଦ ଜରିମାନା ଆଦାୟ କରୁଥିବା ଟ୍ରାଫିକ୍‌ ପୋଲିସ ବି ଏଥିରେ ପଡ଼ିଗଲେଣି। ଏହା ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଘଟଣାଟି ପୂରା ସତ। ଧିବର ମାଛ ଧରିବ କ’ଣ ନିଜେ ଜାଲରେ ପଡିଗଲା ଭଳି ଜରିମାନା ଜାଲରେ ପଡିଯାଇଛନ୍ତି ରାଞ୍ଚିର ଟ୍ରାଫିକ୍‌ ପୋଲିସ ରାକେଶ କୁମାର। ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ପ୍ରମାଣ କରିଛନ୍ତି ସେଠାକାର ଟ୍ରାଫିକ୍‌ ଅଧୀକ୍ଷକ ଅଜିତ୍‌ ପିଟର ଡୁଙ୍ଗ୍‌ଡୁଙ୍ଗ୍‌। ରାକେଶ ରାତିରେ ତାଙ୍କ ବାଇକ୍‌ରେ ରାଞ୍ଚିର ପ୍ଲାଜା ଚୌକ ଟ୍ରାଫିକ୍‌ ପୋଷ୍ଟରୁ ମିଶନଚୌକକୁ ଯାଉଥିବା ସମୟରେ ଟ୍ରାଫିକ୍‌ ଅଧୀକ୍ଷକଙ୍କ ହାବୁଡ଼ରେ ପଡିଯାଇଥିଲେ। ଭୁଲ୍‌ଥିଲା, ରାକେଶଙ୍କ ବାଇକ୍‌ ପଛରେ ବସିଥିବା ଏଏସ୍‌ଆଇ ରାମେଶ୍ୱର ରାୟ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ। ଟ୍ରାଫିକ୍‌ ଅଧୀକ୍ଷକ ଦୁଇଜଣଙ୍କୁ ଅଫିସ୍‌କୁ ଡକାଇ ରାକେଶଙ୍କୁ ବାଇକ୍‌ର ସବୁ କାଗଜପତ୍ର ମାଗିଥିଲେ। କିନ୍ତୁ ରାକେଶଙ୍କ ପାଖରେ ନା ଥିଲା ଡ୍ରାଇଭିଂ ଲାଇସେନ୍ସ, ନା ପଲ୍ୟୁସନ୍‌ ସାର୍ଟିଫିକେଟ କି ଇନ୍‌ସ୍ୟୁରାନ୍ସ। ଏଥିପାଇଁ ୧୭ ହଜାର ଟଙ୍କା ଜରିମାନା ଦେବା କଥା। କିନ୍ତୁ ଯେହେତୁ ରାକେଶ ଜଣେ ଟ୍ରାଫିକ୍‌ ପୋଲିସ୍‌ ସେଥିପାଇଁ ଏହି ଜରିମାନାକୁ ଦୁଇଗୁଣ କରିଦିଆଯାଇ ୩୪ ହଜାର ଟଙ୍କା ଚାଲାଣ କଟାଯାଇଛି।