ଏଇ ଭାରତରେ

ଟ୍ରାଫିକ୍‌ ନିୟମ କଡାକଡି କରାଯାଇ ନିୟମ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିବାବେଳେ ଜଣେ ମୃତକଙ୍କ ନାମରେ ଟ୍ରାଫିକ୍‌ ନିୟମ ଭଙ୍ଗ ଅଭିଯୋଗ ଅଣାଯିବା ଘଟଣା ସାମ୍‌ନାକୁ ଆସିଛି। ରାଜସ୍ଥାନ ଝାଲାଓ୍ବାଡ଼ ଜିଲା ପରିବହନ ବିଭାଗ ୮ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ରାଜେନ୍ଦ୍ର କସେରାଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ତାଙ୍କ ଘରକୁ ନୋଟିସ ପଠାଇଛି। ୨୦୧୧ ସେପ୍ଟେମ୍ବରରେ ରାଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ସିଟ୍‌ ବେଲ୍‌ଟ ନ ବାନ୍ଧି ସେ ଦ୍ରୁତ ବେଗରେ ଗାଡି ଚଲାଉଥିବାବେଳେ ଧରାପଡିଥିଲେ ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ରାଜେନ୍ଦ୍ରଙ୍କ ପରିବାରକୁ ସେପ୍ଟେମ୍ବର ୧୧ରେ ପରିବହନ ବିଭାଗର ଏହି ନୋଟିସ୍‌ ମିଳିଛି ଓ ସେଥିରେ ତାଙ୍କୁ ବିଭାଗ ନିକଟରେ ଉପସ୍ଥିତ ହେବାକୁ କୁହାଯାଇଛି। ନୂତନ ମୋଟର ଯାନ ଅଧିନିୟମ ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ପ୍ରକ୍ରିୟା ଶେଷ କରିବା ପାଇଁ ମୃତକଙ୍କୁ ପରିବହନ ବିଭାଗ କାର୍ଯ୍ୟାଳୟକୁ ଡ଼କାଯାଇଛି ବୋଲି କୁହନ୍ତି ତାଙ୍କ ପୁତ୍ର ମନୋଜ କସେରା। ଚିଠିରେ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି ଓ ତାହା ପୁଣି ଚାରି ଚକିଆ ଯାନର। କିନ୍ତୁ ରାଜେନ୍ଦ୍ରଙ୍କ ପାଖରେ କେବେ ବି ଚାରି ଚକିଆ ଯାନ ନଥିଲା। ସେ ବାଇକ୍‌ରେ ଝାଲାଓ୍ବାଡ଼ରେ ବାସନ ବିକୁଥିଲେ। ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ପରିବହନ ବିଭାଗ ମୃତକଙ୍କ ପାଖକୁ ନୋଟିସ ପଠାଇ ବିଭଗର ଖାମଖିଆଲି ଭାବକୁ ପଦାରେ ପକାଇଦେଇଛି।