ଏଇ ଭାରତରେ

ପରିବାରକୁ ପିଲାଟିଏ ଆସିଲେ ସମସ୍ତେ ଯେମିତି ଖୁସି ହୁଅନ୍ତି ସେମିତି ତା’ର ଜନ୍ମଦିନକୁ ଜାକଜମକରେ ପାଳନ କରି ଶୁଭେଚ୍ଛା ଅଜାଡି ଦିଅନ୍ତି। ମଙ୍ଗଳ କାମନା କରି ପୂଜାପାଠ କରନ୍ତି। ଭୋଜିଭାତର ଆସର ବି ଜମିଯାଏ। କିନ୍ତୁ ଜଣେ କିଶୋରଙ୍କ ଜନ୍ମଦିନକୁ ଗୁଜରାଟର ଏକ ପରିବାର ଯେଉଁ ଢଙ୍ଗରେ ପାଳନ କରିଛି ତାହା ଜାଣିଲେ ତାଙ୍କର ଦେଶଭକ୍ତି ଭାବନାକୁ ଶ୍ରେୟ ନ ଦେଇ ରହିପାରିବେନି। ଗୁଜରାଟ ମୋର୍‌ବି ଜିଲାର ସ୍ବାପର ଗାଁରେ ରହନ୍ତି ମେରଜା ପରିବାର। ଏହି ପରିବାର ୧୯ ବର୍ଷୀୟ ପୁତ୍ର ଦୀପର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛି। ଦୀପଙ୍କ ପିତା ପରେଶଭାଇ ମେରଜା ଜନ୍ମଦିନ ଅବସରରେ ଗାଁ ରାସ୍ତା ମରାମତି କରିବାକୁ ନିଷ୍ପତ୍ତି ନେଇ ଏକ ନୂଆ ବାର୍ତ୍ତା ଦେଇଛନ୍ତି। ପୂରା ପରିବାର ଦୁଇଟି ଟ୍ରାକ୍ଟର ଓ ଏକ ଲୋଡର ନେଇ ଗାଁ ରାସ୍ତା ମରାମତି କରିବାକୁ ବାହାରି ଯାଇ ୧୦୦ ମିଟର ରାସ୍ତାକୁ ଘଣ୍ଟାଏ ଭିତରେ ମରାମତି କରିଦେଇଛନ୍ତି। ଗାଁରୁ ମୁଖ୍ୟ ରାସ୍ତାକୁ ଯୋଡୁଥିବା ରାସ୍ତା ଏତେ ଖରାପ ଥିଲା ଯେ, ସେଥିରେ ଯିବାଆସିବା କରିବା କଷ୍ଟକର ହୋଇପଡୁଥିଲା। ମେରଜା ପରିବାର ସଦସ୍ୟମାନେ ରାସ୍ତା ମରାମତି କରିବା ଦେଖି ଗାଁ ଲୋକେ ମଧ୍ୟ ତାଙ୍କ ସହ କାମରେ ଲାଗିଯାଇଥିଲେ। ସବୁ କଥାରେ ସରକାର କରିବେ କହିବା ଠିକ୍‌ ନୁହେଁ। ଗାଁ ରାସ୍ତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର ବୋଲି କହିଛନ୍ତି ମେରଜା ପରିବାରର ମୁଖ୍ୟ ତଥା ଦୀପଙ୍କ ପିତା ପରେଶଭାଇ ମେରଜା।