ଏଇ ଭାରତରେ

ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ର ଓ ଶିକ୍ଷକ ଅନୁପାତ ନୈରାଶ୍ୟଜନକ ଥିବାବେଳେ ଏକ ବିଶ୍ୱବିଦ୍ୟାଳୟର ଗୋଟିଏ ବିଭାଗରେ ଜଣେ ଛାତ୍ରକୁ ୭ ଜଣ ପ୍ରାଧ୍ୟାପକ ରହିଥିବା ଭଳି ରୋଚକ ଖବର ସାମ୍‌ନାକୁ ଆସିଛି। ଆଉ ମଧ୍ୟ ସେହି ଛାତ୍ର ଜଣକ ବାର୍ଷିକ ପରୀକ୍ଷାରେ ଫେଲ୍‌ ହେବା ଘଟଣା ଆହୁରି ଆଶ୍ଚର୍ଯ୍ୟଜନକ । ଏମିତି ଏକ ଘଟଣା ଘଟିଛି ଛତିଶଗଡ଼ ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ (ଆର୍‌ବିବି)ରେ। ଏହି ବିଶ୍ୱବିଦ୍ୟାଳୟରେ ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ଶନିଦଶା ଚଳିବା ଭଳି ମନେହେଉଛି। ଏମିତି ଦୁର୍ଦ୍ଦଶା ପଡିଛି ଯେ, ଜଣେ ଛାତ୍ରଙ୍କ ପାଇଁ ଖୁବ୍‌ କସରତ କରିଛି ଏହି ବିଶ୍ୱବିଦ୍ୟାଳୟ। ବିଶେଷକରି ୨୦୧୯ ମାର୍ଚ୍ଚ-ଏପ୍ରିଲ୍‌ରେ ଅନୁଷ୍ଠିତ ଏମ୍‌ଫିଲ୍‌ କମ୍ପ୍ୟୁଟର ସାଇନ୍ସର ବାର୍ଷିକ ପରୀକ୍ଷାରେ ଜଣେ ଛାତ୍ର ପରୀକ୍ଷା ଦେଇଥିଲେ। ଏହାର ଫଳ ଚାରି ମାସ ପରେ ବାହାରିଛି। ତାହା ପୁଣି ଶୂନ, ଅର୍ଥାତ୍‌ ପରୀକ୍ଷାର୍ଥୀ ଜଣକ ଫେଲ୍‌। ଏହି ପାଠ୍ୟକ୍ରମରେ ନିୟମିତ ଓ ଚୁକ୍ତିଭିତ୍ତିକ ପ୍ରାଧ୍ୟାପକଙ୍କ ସଂଖ୍ୟା କିନ୍ତୁ ୭। ଏତେ ଜଣ ଫାକଲ୍‌ଟି ଥାଇ ବି ପରୀକ୍ଷାର୍ଥୀ ପାସ୍‌ କରି ନ ପାରିବା ଯୋଗୁ ଆର୍‌ବିବିକୁ ଶୂନ ପ୍ରତିଶତ ଫଳ ଘୋଷଣା କରିବାକୁ ପଡିଛିି। ଏମ୍‌ଫିଲ୍‌ରେ ଅତିକମ୍‌ରେ ପାଞ୍ଚଜଣ ଛାତ୍ର ଆବଶ୍ୟକ ଥିବାବେଳେ କମ୍ପ୍ୟୁଟର ସାଇନ୍ସରେ କିଭଳି ଜଣେ ପରୀକ୍ଷା ଦେଇଥିଲେ ଓ ତାହା କିପରିି ଫଳଶୂନ୍ୟ ହୋଇଛି, ସେ ବିଷୟରେ ତଦନ୍ତ କରିବାକୁ ପଡିବ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଡ. ଗିରୀଶକାନ୍ତ ପାଣ୍ଡ୍ୟା।