ଏଇ ଭାରତରେ

ପରୀକ୍ଷା ଦେବା ପରେ ସମସ୍ତେ ଚାହିଁଥାନ୍ତି ଫଳକୁ। ପାସ୍‌ହେଲେ ସାର୍ଟିଫିକେଟ ଓ ମାର୍କଶିଟ୍‌ ନେଇ ଆଗକୁ ପଢିବେ। କିନ୍ତୁ ୧୩ ବର୍ଷ ପୂର୍ବେ ପରୀକ୍ଷା ଦେଇଥିବା ଜଣେ ଛାତ୍ର ପାସ୍‌ କରି ମଧ୍ୟ ଏଯାବତ ମାର୍କଶିଟ୍‌ ପାଇନାହାନ୍ତି। ମଧ୍ୟପ୍ରଦେଶ ଜବଲପୁରରେ ଏହା ଘଟିଛି। ନୟା ମୁହଲ୍ଲା ନିବାସୀ ମହମ୍ମଦ ଅରିଫ ଜମାଲ କହିଛନ୍ତି, ୨୦୦୬ରେ ସେ ୧୦ମ ପରୀକ୍ଷା ଦେଇ ଗଣିତ, ଇଂରାଜୀ ଓ ହିନ୍ଦୀରେ ଫେଲ୍‌ ହୋଇଥିଲେ । ପୁଣି ୨୦୦୭ରେ ଏହିି ତିନୋଟି ବିଷୟରେ ପରୀକ୍ଷା ଦେଇ ପାସ୍‌ କରିବା ପରେ ମାର୍କଶିଟ୍‌ରେ ଇଂରାଜୀ ଓ ବିଜ୍ଞାନ ମାର୍କ ଯୋଡ଼ି ହୋଇ ନ ଥିଲା। ଏହି ଭୁଲ୍‌ ସୁଧାରିବା ପାଇଁ ମହମ୍ମଦ ୧୩ ବର୍ଷ ହେଲା ଜବଲପୁର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଭୋପାଳ ରାଜ୍ୟ ମୁକ୍ତ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଗଲେଣିି। ଏହା ଏକ ପୁରୁଣା କେସ୍‌ କହି ଅଧିକାରୀମାନେ ସମୟ ଗଡାଇ ଚାଲିଛନ୍ତି। ତାଙ୍କ ପିତାଙ୍କ ନାମ ମହମ୍ମଦ ଫାରୁକ ବଦଳରେ ମାର୍କଶିଟ୍‌ରେ ମହମ୍ମଦ ଅବଦୁଲ କାଦିର ଉଲ୍ଲେଖ କରାଯାଇଛି। ଯେଉଁ ବିଷୟରେ ମହମ୍ମଦ ପରୀକ୍ଷା ଦେଇଥିଲେ ସେହିସବୁ ବିଷୟ ଉଲ୍ଲେଖ ରହିଛି, କିନ୍ତୁ ସେହି ବିଷୟରେ କେତେ ନମ୍ବର ରଖିଛନ୍ତି ତାହା ଦର୍ଶାଯାଇନାହିଁ।