ଏଇ ଭାରତରେ

କୃଷକ ଆମତ୍ହତ୍ୟା ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳରେ ମରୁଡି ପଡେ, ଫସଲ ନଷ୍ଟ ହୁଏ। ଏହା ଯେତିକି ଚିନ୍ତାର କାରଣ ନୁହେଁ, କାମଦେବଙ୍କ କୋପ ଏବେ ବେଶି ସମସ୍ୟା ଆଣିଛି। ଜଣେ କୃଷକ ଘରର ପୁଅ ହେବା ସତେ ଯେମିତି ତାଙ୍କ ପାଇଁ ପାପ। କୃଷକ ବର ଓ ଘରକୁ କନ୍ୟା ମିଳୁନାହାନ୍ତି। ବାହା ହେବା ତାଙ୍କ ଲାଗିି କାଠିକର ପାଠ। ଏହି ଅଞ୍ଚଳରେ ବାର୍ଷିକ ବିବାହ ହାର ବି କମିଯାଇଛି। ଓରଙ୍ଗାବାଦର ମରାଠାଓ୍ବାଡାର ଘଟ୍‌ନାନ୍ଦ୍ର ଗାଁର ଘରେ ଘରେ ଅବିବାହିତ ପୁଅ। ପୁଅ ବାହାଘର ସମ୍ପର୍କରେ ବି ମା’ବାପା ମୁହଁ ଖୋଲୁନାହାନ୍ତି। ଯେଉଁମାନଙ୍କ ଘରେ ଏକାଧିକ ବିବାହଯୋଗ୍ୟ ପୁଅ ଅଛନ୍ତି, ସେମାନେ ଚାଷ କରିବେ କ’ଣ ପୁଅ ଲାଗି ଝିଅ ଖୋଜି ଖୋଜି ଦିନ ଯାଉଛି। ଏମିତିକି ପୁଅମାନେ ଭିନ୍ନକ୍ଷମ ଝିଅଙ୍କୁ ବାହା ହେବାକୁ ପଛାଉନାହାନ୍ତି। ଅନ୍ୟ ବୃତ୍ତିଧାରୀ ପରିବାର କୃଷକ ପରିବାରକୁ ଝିଅ ଦେଉନାହାନ୍ତି। କୃଷକ ପରିବାରର ଝିଅ ମଧ୍ୟ କୃଷକ ପରିବାର ବୋହୂ ହେବାକୁ ରାଜି ହେଉନାହାନ୍ତି। ଏମିତି ପରିସ୍ଥିତି ଉପୁଜିଛି ଯେ, ତେଜରାତି ଦୋକାନୀ କି ଅଟାକଳ ମାଲିକଙ୍କୁ ବାହାହେବାକୁ ଝିଅ ମିଳୁଛି, କିନ୍ତୁ କୃଷକ ପୁଅଙ୍କୁ ନୁହେଁ। ଗାଁରେ ପାଣି, ବିଦ୍ୟୁତ୍‌, ରାସ୍ତା, ରନ୍ଧନ ଗ୍ୟାସ ତଥା ମୋବାଇଲ ସଂଯୋଗରେ ଅବ୍ୟବସ୍ଥା ବି କୃଷକ ଘରର ପୁଅଙ୍କୁ କାଳ ହେଉଛି। ଏହି କାରଣରୁ ଘଟ୍‌ନାନ୍ଦ୍ର ଓ ଏହାର ଆଖପାଖ ଅଞ୍ଚଳର ଝିଅମାନେ ଗାଁରେ ଚାଷ କରୁଥିବା ପୁଅଙ୍କୁ ବାହାହେବାକୁ ରାଜି ହେଉନାହାନ୍ତି।