ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ହାତୀ-ମଣିଷ ଲଢେଇ ଚାଲିଥିବାବେଳେ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହାତୀ ଓ ସିଂହ ମୂର୍ତ୍ତି ପୂଜା କରିବା ଘଟଣା ସାମନାକୁ ଆସିଛି ଛତିଶଗଡ଼ରେ। ରାଜ୍ୟର ମହାମସୁନ୍ଦ ଜିଲାର ଗାଁ ଗାଁରେ ଧନଜୀବନ ରକ୍ଷାକରିବା ଲାଗି ହାତୀମିତ୍ର ଦଳ ଗଢ଼ା ଯାଇଥିଲେ ମଧ୍ୟ ଜିଲାର ଗୁଡରୁଡିହ ଓ କୁକୁରାଡିହ ଗାଁର ଲୋକମାନେ ଆସ୍ଥାର ରାସ୍ତା ଧରିଛନ୍ତି। ସେମାନେ ହାତୀ ସହ ଲଢେଇ ନ କରି ପୂରା ଦିନ କାମ ବନ୍ଦ କରି ହାତୀ ପର୍ବ ପାଳନ କରୁଛନ୍ତି। ଗାଁରେ ସେମାନେ ହାତୀ ମୂର୍ତ୍ତି ସ୍ଥାପନ କରିଛନ୍ତି। ଏହିି ମୂର୍ତ୍ତି ନିର୍ମାଣ କରିବା ପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଗାଁର ସମସ୍ତେ ହାତୀ ମୂର୍ତ୍ତିକୁ ପୂଜା କରିବା ସହ ଜଙ୍ଗଲି ହାତୀ ଆକ୍ରମଣରୁ ରକ୍ଷା ପାଇବା ଲାଗି ପ୍ରାର୍ଥନା କରୁଛନ୍ତି। କେବଳ ହାତୀ ନୁହେଁ ମହାମସୁନ୍ଦ ଜିଲାର ଗୁଡରୁଡିହ, ଫୁସେରାଡିହ, ଲହଙ୍ଗର, ମୋହକମ୍‌ ଓ ସେନକପାଟ ଗାଁର ଛକରେ ଦୁଇଟି ସିଂହ ମୂର୍ତ୍ତି ସ୍ଥାପନ କରାଯାଇଛି। ଗାଁ ଲୋକମାନେ ଏକାଠି ହୋଇ ସିଂହ ମୂର୍ତ୍ତିକୁ ମଧ୍ୟ ପୂଜା କରୁଛନ୍ତିି। ହାତୀ ଓ ସିଂହ ମୂର୍ତ୍ତିକୁ ଭକ୍ତିର ସହ ପୂଜା କଲେ ଜଙ୍ଗଲି ହାତୀ କବଳରୁ ମୁକ୍ତି ମିଳିବ ବୋଲି ସେମାନେ ବିଶ୍ୱାସ କରନ୍ତି।