ଏଇ ଭାରତରେ

ପରିବେଶ ସଚେତନତାର ଝଲକ ଦେଖିବାକୁ ମିଳିଛି ଇନ୍ଦୋରସ୍ଥିତ ସେଣ୍ଟ୍‌ ରାଫାୟଲ୍ସ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସ୍କୁଲ୍‌ର ଛାତ୍ରୀମାନେ ‘ପ୍ଲାଷ୍ଟିକ୍‌ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି ଏକ ନିଆରା ଉପାୟରେ। ଇନ୍ଦୋରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ଦେକାନୀମାନଙ୍କୁ ସେମାନେ ପେପର୍‌ ବ୍ୟାଗ୍‌ ବାଣ୍ଟିଛନ୍ତି। ଇନ୍ଦୋର ନଗର ନିଗମ ଅଧ୍ୟକ୍ଷ ଆଶିଷ ସିଂ ଓ ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛିି। ସ୍କୁଲ୍‌ ପରିସରରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନେ ଉପସ୍ଥିତ ରହି ଇନ୍ଦୋରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ମଧ୍ୟ ଶପଥ ନେଇଛନ୍ତି। ଛାତ୍ରୀମାନେ ୮୦ ହଜାର ପେପର୍‌ ବ୍ୟାଗ ତିଆରି କରି ତାହାକୁ ସହରର ୧୩ଟି ମୁଖ୍ୟ ବଜାରରେ ଦୋକାନୀ ଓ ଫୁଟ୍‌ପାଥ୍‌ ବିକ୍ରେତାଙ୍କୁ ବାଣ୍ଟିଛନ୍ତି। ଏହି ଅଭିଯାନରେ ୧ ହଜାର ଛାତ୍ରୀ ସାମିଲ ହୋଇ ପଲିଥିନ୍‌ ଓ ପା୍ଲଷ୍ଟିକ୍‌ ବ୍ୟାଗ ପରିବର୍ତ୍ତେ ଏହାକୁ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରିଛନ୍ତି। ଛାତ୍ରୀମାନେ ଶିକ୍ଷକଙ୍କ ସହ ଦୁଇଟି ବସ୍‌ରେ ପେପର୍‌ ବ୍ୟାଗଗୁଡିକୁ ନେଇ ବାଣ୍ଟିଥିଲେ। ‘ପ୍ଲାଷ୍ଟିକ୍‌ ଫ୍ରି ଇନ୍ଦୋର’ ସନ୍ଦେଶ ଦେବା ଲାଗି କେତେ ଜଣ ବିଦ୍ୟାର୍ଥୀ ଗାନ୍ଧିଜୀଙ୍କ ବେଶରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଇନ୍ଦୋରକୁ ପଲିଥିନମୁକ୍ତ ସହର କରିବା ଲକ୍ଷ୍ୟ ନେଇ ଏହିି କାର୍ଯ୍ୟକ୍ରମ କରାଯାଇଛି ବୋଲି ସ୍କୁଲ୍‌ର ଅଧ୍ୟକ୍ଷ ଜାନ୍‌ସୀ ଜୋଶେଫ୍‌ କହିଛନ୍ତି।