ଏଇ ଭାରତରେ

ଦେଶର ଅନେକ ଅଞ୍ଚଳ ବର୍ଷାରେ ତ୍ରାହି ତ୍ରାହି ଡାକୁଛି, ହେଲେ ବିଦର୍ଭରେ ବର୍ଷା ପାଇଁ ଲୋକମାନେ ଆପଣାଉଛନ୍ତି ଅଜବ ପରମ୍ପରା। ମହାରାଷ୍ଟର ଏହି ଅଞ୍ଚଳରେ ଥିବା ଚନ୍ଦ୍ରପୁର ଓ ଗାଡଛିରୋଲି ଜିଲାରେ ରହୁଥିବା କୁନ୍‌ବିସ୍‌ ବା କ୍ଷୁଦ୍ରଚାଷୀ ବର୍ଗର ଲୋକମାନେ ବର୍ଷା ଲାଗି ଅନ୍ଧବିଶ୍ୱାସର ସାହାରା ନେଉଛନ୍ତି। ବର୍ଷସାରା ଏମିତିକି ବର୍ଷାଦିନେ ବି ଏହି ଦୁଇ ଜିଲା ଶୁଖିଲା ରହେ। ଏଣୁ ବର୍ଷା ପାଇଁ ଜ୍ୟେଷ୍ଠମାସ (ଜୁନ-ଜୁଲାଇ)ରେ ଜନ୍ମିତ ଜଣେ ବ୍ୟକ୍ତିଙ୍କୁ ସାରୁପତ୍ରରେ ବର୍ଷା ଜଳ ସଂଗ୍ରହ କରିବାକୁ କୁହାଯାଏ। ସେହି ବ୍ୟକ୍ତି ଏହା କରିବା ପରେ ତାହାକୁ ଏକ ସୂତାରେ ବାନ୍ଧି ଛପରଘରେ ଝୁଲାଇ ଦିଅନ୍ତି। ବହୁ ସମୟରେ ଗ୍ରାମବାସୀ ପ୍ୟାଣ୍ଟ୍‌ଶାର୍ଟ ପିନ୍ଧି ନ ଥିବା ଜଣେ ପିଲାକୁ ମଧ୍ୟ ସାରୁପତ୍ରରେ ବର୍ଷାପାଣି ସଂଗ୍ରହ କରିବା ପାଇଁ କହିଥାନ୍ତି। ପିଲାଟି ବର୍ଷାପାଣି ସଂଗ୍ରହ କରିବା ପରେ ତାକୁ ଭଲଭାବରେ ବାନ୍ଧି ମଧ୍ୟ ଛପର ଘରେ ଝୁଲାଇ ଦିଆଯାଏ। ଆଉ ମଧ୍ୟ ସେହି ପିଲାଙ୍କୁ ଏକ ପାତ୍ରରେ ଜଳନ୍ତା କୋଇଲା ନେଇ ଆକାଶକୁ ଫିଙ୍ଗିବାକୁ କୁହାଯାଏ। ପିଲାମାନେ ଏପରି କରିବା ଦ୍ୱାରା ବର୍ଷା ହୁଏ ବୋଲି କୁନ୍‌ବିସ୍‌ମାନଙ୍କର ବିଶ୍ୱାସ ରହିଛି। କେବଳ ଏତିକି ନୁହେଁ ସେମାନେ ବର୍ଷା ପାଇଁ ଆଉ ଏକ ପର୍ବ ପାଳନ କରନ୍ତି। ଏହି ଦିନ ସେମାନେ ଏକ ସ୍ବତନ୍ତ୍ର ମିଠା ପ୍ରସ୍ତୁତ କରି ଖାଆନ୍ତି। ‘ମେଘ ମିଠା’ କୁହାଯାଉଥିବା ଏହି ମିଠାକୁ ଖାଇଲେ ଭଲ ବର୍ଷା ହେବ ବୋଲି ସେମାନେ ବିଶ୍ୱାସ କରନ୍ତି।