ଏଇ ଭାରତରେ

ଏସିଆର ସବୁଠୁ ବଡ଼ ରେଡ୍‌ଲାଇଟ ଅଞ୍ଚଳ କୋଲକାତାର ସୋନାଗାଚ୍ଛିରେ ଏଥର ଦୁର୍ଗାପୂଜା ଅଭିନବ ଉପାୟରେ ପାଳନ କରାଯାଉଛି। ସେଠାେରେ ରହୁଥିବା ଦେହଜୀବୀମାନେ ‘ଦୁର୍ବାର ମହିଳା ସମନ୍ବୟ ସମିତି’ ତତ୍ତ୍ୱାବଧାନରେ ମସ୍‌ଜିଦ ବାଡ଼ିରେ ଦୁର୍ଗାପୂଜା ପାଳନ କରୁଛନ୍ତି। ଦୁର୍ଗାପୂଜା ସହ ସେମାନେ ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ପୂଜା କମିଟିରେ ୨୫ ଜଣ ରହିଛନ୍ତି। ପୂଜା ସହ ୭୦୦୦ ଦେହଜୀବୀ ସାମିଲ ହୋଇ ବିଶ୍ୱତାପନ ବୃଦ୍ଧି ଭଳି ଗମ୍ଭୀର ସମସ୍ୟା ଉପରେ ସଚେତନତାର ବାର୍ତ୍ତା ଦେଇଛନ୍ତି। ‘ବିଶ୍ୱତାପନ କମ୍‌ କର, ପୃଥିବୀ ବଞ୍ଚାଅ’ ବୋଲି ପୂଜାରେ ସେମାନେ ସ୍ଲୋଗାନ ରଖିଛନ୍ତି। ମା’ ଦୁର୍ଗାଙ୍କ ଦଶଭୁଜରେ ଏଥର ଶୋଭାପାଉଛି ପରିବେଶ ସଂରକ୍ଷଣ ସମ୍ବନ୍ଧିତ ଲିଖିତ ବୋର୍ଡ। ପାଣି ଅପବ୍ୟବହାର ରୋକିବା, ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା, ଗଛ କଟା ବନ୍ଦ କରିବା, ପେଟ୍ରୋଲ-ଡିଜେଲ ଗାଡ଼ି ବଦଳରେ ବିଦ୍ୟୁତ୍‌ଚାଳିତ ଯାନ ଚଲାଇବା ଆଦି ସନ୍ଦେଶ ଲେଖାଯାଇଥିବା କାର୍ଡ ମା’୧୦ ଭୁଜରେ ଧାରଣ କରିଛନ୍ତି। ଏହି ମଣ୍ଡପରେ ମା’ ଦୁର୍ଗାଙ୍କ ପାଖରେ ମହିଷାସୁରକୁ ପରିବେଶ ବିଧ୍ୱଂସକ ଭାବେ ଚିତ୍ରଣ କରାଯାଇଛି। ସେହି ବିଧ୍ୱଂସକକୁ ମା’ ସଂହାର କରିଛନ୍ତି। ପୂଜାମଣ୍ଡପରେ ବିଭିନ୍ନ ଚିତ୍ର ମାଧ୍ୟମରେ ପରିବେଶ ସୁରକ୍ଷା ସମ୍ପର୍କିତ ସନ୍ଦେଶମାନ ବି ପ୍ରଦାନ କରାଯାଇଛି।