ଏଇ ଭାରତରେ

ଦେଶରେ ଦଶହରାରେ ରାବଣ ପୋଡି ଉତ୍ସାହର ସହ ପାଳନ କରାଯାଇଛି, ହେଲେ ଛତିଶଗଡ଼ରେ ରାବଣ ପୋଡି ପରିବର୍ତ୍ତେ ପଞ୍ଚାୟତ ସଦସ୍ୟଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ାଯାଇଛି। ବିଳାସପୁର ମସ୍ତୁରୀ ବ୍ଲକ୍‌ର ବନିୟାଡିହ ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ଏକ ଅଜବ ଘଟଣା। ଲୋକମାନେ ରାବଣ ବଦଳରେ ସରପଞ୍ଚ, ସମ୍ପାଦକ ଓ ୧୧ ଜଣ ଓ୍ବାର୍ଡମେମ୍ବରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ତାହାକୁ ବିଜୟାଦଶମୀରେ ପୋଡ଼ିଛନ୍ତି। ପୂର୍ବ ୫ ବର୍ଷରେ ପଞ୍ଚାୟତରେ କୌଣସି ବିକାଶ ହୋଇ ନ ଥିଲା। ଲୋକମାନେ ପଞ୍ଚାୟତର ସ୍ଥାଣୁତା ବିରୋଧରେ ଏଭଳି ଏକ ପୋଡ଼ିର ଆୟୋଜନ କରି ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିନ୍ତୁ ପଞ୍ଚାୟତରେ ଥିବା ମହିଳା ସଦସ୍ୟଙ୍କୁ ସମ୍ମାନ ଦିଆଯାଇଛି। ମହିଳା ସଦସ୍ୟଙ୍କ ନାମ ପରିବର୍ତ୍ତେ ସେମାନଙ୍କ ପୁଅ କିମ୍ବା ସ୍ବାମୀଙ୍କ ନାମ ଲେଖାଯାଇଥିଲା। ଏହି ପଞ୍ଚାୟତରୂପୀ ରାବଣର ଉଚ୍ଚତା ଥିଲା ୩୫ ଫୁଟ୍‌। ପ୍ରତିମୂର୍ତ୍ତିର ଶରୀରରେ ସରପଞ୍ଚଙ୍କ ସ୍ବାମୀଙ୍କ ନାମ ଲେଖାଯାଇଥିଲା। ରାବଣର ଦଶମୁଣ୍ଡ ମଧ୍ୟରୁ ଗୋଟିଏ ଥିଲା ଗଧର ମୁଣ୍ଡ ଓ ସେଥିରେ ପଞ୍ଚାୟତ ସମ୍ପାଦକଙ୍କ ନାମ ଲେଖାଯାଇଥିଲା। ସରପଞ୍ଚଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଥିବା ଜଣେ ଓ୍ବାର୍ଡମେମ୍ବର ରାମ ସାଜି ତାହାକୁ ଦହନ କରିଥିଲେ।