ଏଇ ଭାରତରେ

ଆଇନ ଆଖିରେ ସମସ୍ତେ ସମାନ। ମଣିଷ କଥା ଛାଡ଼ନ୍ତୁ, ପଶୁ ବି ଏହି ନିୟମରୁ ବାଦ୍‌ ପଡୁନାହାନ୍ତି। ଅନେକ ଜାଗାରେ ପଶୁ ଗିରଫ ହୋଇ ଥାନାକୁ ଅଣାଯିବା ଘଟଣା ଦେଖିବାକୁ ମିଳେ ଆମ ଦେଶରେ। କିନ୍ତୁ ଏବେ ସ୍ବୟଂ ଦେବତା ମଧ୍ୟ ପୋଲିସ ନଜରରୁ ବର୍ତ୍ତି ପାରିନାହାନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଘଟଣାଟି ସତ। ପ୍ରଭୁ ହନୁମାନଙ୍କୁ ଯିବାକୁ ପଡିଛି ଥାନାକୁ। ଏମିତି ଏକ ଅଜବ ଘଟଣା ସାମନାକୁ ଆସିଛି ବିହାରର ବୈଶାଳୀ ଜିଲାରେ। ଏଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ଲକ୍ଷ୍ୟ କରି ପୋଲିସ ଭଗବାନ୍‌ ହନୁମାନଙ୍କୁ ସିଧା ଥାନାକୁ ନେଇଆସିଛି। ହନୁମାନଙ୍କ ମୂର୍ତ୍ତିକୁ କେଉଁ ଜାଗାରେ ସ୍ଥାପନ କରାଯିବ ତାହାକୁ କେନ୍ଦ୍ର କରି ପାନାପୁର ଗୌରାହି ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଗାଁର ଅନୁସୂଚିତ ବର୍ଗର କିଛି ଭକ୍ତ ହନୁମାନଙ୍କୁ ଏକ ବିବାଦୀୟ ଜମିରେ ସ୍ଥାପନ କରିଥିଲେ। ଏହାକୁ କେନ୍ଦ୍ର କରି ସେହି ଗାଁର ଉଚ୍ଚଜାତିର ଲୋକମାନେ ବିରୋଧ କରିବା ଆରମ୍ଭ କରିଦେଲେ। ଏ ନେଇ ସୂଚନା ପାଇବା ପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ସେଠାରେ ପହଞ୍ଚି ହନୁମାନଙ୍କୁ ଥାନାକୁ ନେଇଆସିଛି। ପୂରା ମାମଲା ତୁଟିବା ଯାଏ ଥାନାରେ ହିଁ ହନୁମାନ ରହିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।