ଏଇ ଭାରତରେ

କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ୍‌ ଅନୁଯାୟୀ ରାସ୍ତାଘାଟ ତଥା ପରିବେଶକୁ ପରିଷ୍କାର ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି। ଗୁଜରାଟର ଅହମଦାବାଦରେ ରାସ୍ତାରେ ଛେପ ପକାଇଲେ ଶହେଟଙ୍କା ଜରିମାନା। ଏ କଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ଏ ପର୍ଯ୍ୟନ୍ତ ୧୦ ହଜାର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜରିମାନା ଆଦାୟ କରାଗଲାଣି। ରାସ୍ତାରେ ଛେପ ପକାଉଥିବା ଲୋକଙ୍କ ପାଇଁ କରାଯାଇଛି ଏପରି କଡ଼ା ଆଇନ। ସହରକୁ ପରିଷ୍କାର ରଖିବା ଲାଗି ଅହମଦାବାଦ ମହାନଗରପାଳିକା ପକ୍ଷରୁ ଛେପ ପକାଉଥିବା ଲୋକଙ୍କ ଉପରେ ଶହେଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଏଭଳି ନିୟମ ଲାଗୁ କରିବାରେ ଦେଶରେ ଅହମଦାବାଦ ପ୍ରଥମ ସହର ହେବାର ମାନ୍ୟତା ଲାଭ କରିଛି। ସିସିଟିଭି ଫୁଟେଜ୍‌ରୁ ମହାନଗର ଆଇନ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇ ଜରିମାନା ଆଦାୟ କରାଯାଉଛି। ଏହା ସହିତ ଗାଡ଼ି ନମ୍ବରରୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରୁଥିବା ମହାନଗରପାଳିକା ଉଚ୍ଚ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅହମଦାବାଦର ଏହି ନିୟମ ସ୍ବଚ୍ଛ ଭାରତ ମିଶନ ଲକ୍ଷ୍ୟ ହାସଲରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ନିଶ୍ଚୟ।