ଏଇ ଭାରତରେ

ଅଦିନିଆ ବର୍ଷାରୁ ଫସଲକୁ ରକ୍ଷା କରିବା ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ ଚାଷୀମାନେ ଅଜବ ପରମ୍ପରା ପାଳନ କରନ୍ତି। ବର୍ଷା ବନ୍ଦ କରିବାକୁ ସେମାନେ ‘ଅଲାଦ୍ରା ଭୋ’ ନାମକ ପର୍ବ ପାଳନ କରିଥାନ୍ତି। ଏହିଦିନ ଗାଁର କୌଣସି ଲୋକ ରୋଷେଇ କରନ୍ତିନି, ପାଣି ଆଣନ୍ତିନି କି ଗୋଦୋହନ କରନ୍ତିନି । ବସ୍ତ୍ର ମଧ୍ୟ ସଫା କରନ୍ତି ନାହିଁ। ଘରର କିଛି କାମ ନ କରି କେବଳ ଦିନସାରା ସମସ୍ତେ ପ୍ରାର୍ଥନା କରିଥାନ୍ତି। ଏହାର ପୂର୍ବଦିନରୁ ସେମାନେ ଖାଦ୍ୟ ପ୍ରସ୍ତୁତ କରିଦିଅନ୍ତି। ଯଦି ଏତକ କରାଯିବା ପରେ ବର୍ଷା ବନ୍ଦ ନ ହୁଏ ତେବେ ଗାଁ ମୁଖିଆଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଗାଁ ସୀମାରେ ପହଞ୍ଚିବା ପରେ ବର୍ଷାଦେବଙ୍କୁ ପୂଜା କରାଯାଏ। ଅନେକ ସ୍ଥାନରେ ମଣିଷ ହାଡ଼ରେ ତିଆରି କରାଯାଇଥିବା ଏକ ଚକକୁ ଜଣେ ବ୍ୟକ୍ତି ବିପରୀତ ଦିଗରେ ବୁଲାଇଲେ ବର୍ଷା ବନ୍ଦ ହୋଇଯାଏ ବୋଲି କେତେକ ସ୍ଥାନରେ ଚାଷୀମାନଙ୍କର ବିଶ୍ୱାସ ରହିଛି। ଆଉ କେତେକ ଜାଗାରେ ପାନଖେତକୁ ବର୍ଷା ଦାଉରୁ ରକ୍ଷା କରିବା ଲାଗି ଚାଷୀମାନେ କନିଷ୍ଠାଙ୍ଗୁଳିରୁ ରକ୍ତ ବାହାର କରି ଜମିର ସୀମାରେ ପକାନ୍ତି। ଆଉ କେତେକ ସ୍ଥାନରେ ଚାଷୀମାନେ ବର୍ଷା ନ ହେବା ପାଇଁ ତାନ୍ତ୍ରିକଙ୍କୁ ଡାକି ତାହାକୁ ଉଡାଇ ଦିଅନ୍ତି। ବେଳେବେଳେ ସେମାନେ ଜଳନ୍ତା ନିଆଁକୁ ବାଦଲ ଆଡ଼କୁ ଫିଙ୍ଗନ୍ତି। ବର୍ଷା ବନ୍ଦ କରିବା ପାଇଁ ପତ୍ରରେ ତିଆରି ଏକ ଛତାକୁ ବର୍ଷାରେ ଓଲଟାଇ ରଖାଯାଏ। ପୁଣି କେତେକ ସ୍ଥାନରେ ଚାଷୀମାନେ କିଛି ପୋଷାକ ପିନ୍ଧି ନ ଥିବା ଜଣେ ବାଳକଙ୍କୁ ଘରର ଚାଳକୁ ବାଡ଼େଇବାକୁ କୁହନ୍ତି। ଅଶ୍ଳେଷା ଓ ମଘା ନକ୍ଷତ୍ରରେ ବର୍ଷା ବେଶି କ୍ଷତି କରୁଥିବାରୁ ତାହାକୁ ଇନ୍ଦ୍ରଙ୍କ କୋପ ମନେକରି ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ବଳି ଦେବା ପ୍ରଥା ଏବେ ବି ପ୍ରଚଳିତ ରହିଛି।