ଏଇ ଭାରତରେ

ହ୍ବିଲ୍‌ ଚେୟାରର ସାହାରା ନେଇଥିବା ଜଣେ ମହିଳା ହଜାର ହଜାର ଦିବ୍ୟାଙ୍ଗଙ୍କୁ ନିଜ ଗୋଡ଼ରେ ଠିଆ କରାଉଥିବା ଭଳି ପ୍ରେରଣାଦାୟକ ଘଟଣା ସାମ୍‌ନାକୁ ଆସିଛି ମହାରାଷ୍ଟ୍ରରେ। ମହିଳାଙ୍କ ନାମ ନସୀମା ମହମ୍ମଦ ଅସୀନ ହୁଜୁର୍କ। ବୟସ ୬୯। କୋହ୍ଲାପୁର ସହର ନିବାସୀ ନସୀମା ଦିବ୍ୟାଙ୍ଗଙ୍କ ପାଇଁ ଆଶାବାଡ଼ିି ପାଲଟିଯାଇଛନ୍ତି। ସେ ନସୀମା ଦିଦି ନାମରେ ଜଣାଶୁଣା। ପିଲାଦିନେ ନସୀମା ଖେଳାଳି ହେବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ତାଙ୍କ ସ୍ବପ୍ନ ସାକାର ହୋଇପାରି ନ ଥିଲା। ୧୭ ବର୍ଷ ବୟସ ପରେ ସେ ପାରାପ୍ଲେଜିୟା ରୋଗ(ଯେଉଁଥିରେ ଶରୀରର ନିମ୍ନାଙ୍ଗ ଓ ଉଭୟ ପାଦ ଅଚଳ ହୋଇଯାଏ)ରେ ପୀଡିତ ହୋଇ ଚାଲିବାକୁ ଅକ୍ଷମ ହୋଇଗଲେ। ତଥାପି ସେ ଭାଙ୍ଗି ନ ପଡି ଜୀବନ ସଂଗ୍ରାମରେ ଆଗକୁ ବଢିଥିଲେ। ସେହି ସମୟରେ ସ୍ଥାନୀୟ ଜଣେ ବ୍ୟବସାୟୀଙ୍କ ପ୍ରେରଣାରେ ପଢ଼ା ଜାରି ରଖିଥିଲେ। ପରେ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବିଭାଗରେ ଚାକିରି କରିଥିଲେ। କିନ୍ତୁ ତାଙ୍କ ଭଳି ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଚାକିରି ଛାଡ଼ିଦେଇ କୋହ୍ଲାପୁରରେ ‘ଦିବ୍ୟାଙ୍ଗ ପୁନର୍ବାସ ସଂସ୍ଥାନ’ ଗଠନ କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ସେ ପାରାପ୍ଲେଜିୟା ପୀଡିତଙ୍କ ମାନସିକ ଓ ଭାବନାତ୍ମକ ସମସ୍ୟାର ସମାଧାନ କରିବା ଆରମ୍ଭ କରିଥିଲେ। ଏହାପରେ ୧୯୮୪ରେ ତାଙ୍କର କେତେଜଣ ସାଙ୍ଗଙ୍କ ସହ ମିଶି ‘ହେଲ୍ପର୍ସ ଅଫ୍‌ ଦି ହ୍ୟାଣ୍ଡିକ୍ୟାପ୍‌ଡ କୋହ୍ଲାପୁର’ ସଂସ୍ଥା ଆରମ୍ଭ କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ସେ ୩୫ ବର୍ଷ ମଧ୍ୟରେ ପାରାପ୍ଲେଜିୟାରେ ପୀଡିତ ୧୩,୦୦୦ରୁ ଊର୍ଦ୍ଧ୍ୱ ଝିଅପୁଅଙ୍କୁ ଥଇଥାନ କରିପାରିଛନ୍ତି। ଏହା ସହ ହଜାର ହଜାର ଦିବ୍ୟାଙ୍ଗଙ୍କ ସେବା କରିବାରେ ସକ୍ଷମ ହୋଇଛନ୍ତି।