ଏଇ ଭାରତରେ

କରଓ୍ବାଚୌଥରେ ପ୍ରତ୍ୟେକ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରୁଥିବାବେଳେ ମଥୁରାର ଏକ ଗାଁରେ ମହିଳାମାନେ କରଓ୍ବାଚୌଥ ଦିନ ସ୍ବାମୀଙ୍କ ପାଇଁ ବ୍ରତ ରଖନ୍ତିନି। ଏହା ପଛରେ କୌଣସି ବୈଜ୍ଞାନିକ ତର୍କ ନାହିଁ, କିନ୍ତୁ ସେଠାକାର ଲୋକକଥାକୁ ବିଶ୍ୱାସ କରି ସେମାନେ ଏହା କରୁଛନ୍ତି। ସେମାନଙ୍କ ମଧ୍ୟରେ ରହିଥିବା ଅଜବ ଭୟ ଯୋଗୁ ସେମାନେ କରଓ୍ବାଚୌଥଠାରୁ ପୂରା ଦୂରେଇ ଯାଇଛନ୍ତି। ଯଦି ସେମାନେ କରଓ୍ବାଚୌଥ ବ୍ରତ ପାଳନ କରନ୍ତି, ତେବେ ତାଙ୍କ ସ୍ବାମୀଙ୍କ ଆୟୁଷ କମିଯିବ ବୋଲି ସେମାନଙ୍କ ମଧ୍ୟରେ ବିଶ୍ୱାସ ରହିଆସିଛି। ପ୍ରାୟ ୨୦୦ ବର୍ଷ ପୂର୍ବେ ରାମ ନଗଲା ଗାଁର ଜଣେ ବ୍ରାହ୍ମଣ ତାଙ୍କ ସ୍ତ୍ରୀଙ୍କୁ ନେଇ କରବାଚୌଥ ଦିନ ଯାଉଥିବାବେଳେ ରାସ୍ତାରେ କେତେଜଣ ଲୋକ ଚୋର ସନ୍ଦେହରେ ତାଙ୍କୁ ଅଟକାଇ ପିଟିପିଟି ମାରିଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କୁ ଅଭିଶାପ ଦେଇ ସ୍ବାମୀଙ୍କ ଚିତାରେ ଝାସ ଦେଇଥିଲେ। ଗାଁରେ ପୁରୁଷ ପୁରୁଷ ଧରି ଏହି ଅସାମୟିକ ମୃତ୍ୟୁରୁ ଏଭଳି ଅନ୍ଧବିଶ୍ୱାସ ଚଳିଆସୁଛି। ଏଣୁ ଗଁାର ମହିଳାମାନେ ଏହାକୁ ଆଜିଯାଏ ମାନି କରଓ୍ବାଚୌଥ ବ୍ରତ ରଖୁନାହାନ୍ତି। ମହିଳାମାନେ ବ୍ରତ ନ ରଖି କରଓ୍ବାଚୌଥ ଦିନ ଗାଁରେ ଥିବା ସତୀ ମନ୍ଦିର ଯାଇ ସ୍ବାମୀଙ୍କ ପାଇଁ ଦୀର୍ଘ ଜୀବନ କାମନା କରନ୍ତି।