ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା କିଛି ପାଇବା ଆଶାରେ ବିଭିନ୍ନ ସେବା ଯୋଗାଇ ଦେଇଥାନ୍ତି। ତେବେ ଜଣେ ସାଧାରଣ ଓ୍ବେଲ୍‌ଡର ମାଗଣାରେ ଅକ୍ସିଜେନ ସିଲିଣ୍ଡର୍‌ ଯୋଗାଇଦେବା କିଛି କମ୍‌ କଥା ନୁହେଁ। ଛତିଶଗଡ଼ର ଏହି ବ୍ୟକ୍ତିଙ୍କ ନାମ ସତ୍ୟନାରାୟଣ ସୋନି। ସେ ମାଗଣାରେ ରୋଗୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର୍‌ ଯୋଗାଇ ଦେଉଛନ୍ତି। ବିଳାସପୁରର ପିଣ୍ଡ୍ରା ନିବାସୀ ସତ୍ୟନାରାୟଣ ୯ ବର୍ଷ ହେବ ଏହି କାର୍ଯ୍ୟ କରିଆସୁଛନ୍ତି। ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ସିଲିଣ୍ଡରବାଲା ଭାଇ ସାହେବ । ପିଣ୍ଡ୍ରାର ନୂଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ତାଙ୍କର ଏକ ଦୋକାନ ରହିଛି। ସେଠାରେ ସେ ଓ୍ବେଲ୍ଡିଂ କାମ କରନ୍ତି। ଦୋକାନରେ ସବୁବେଳେ ସିଲିଣ୍ଡର୍‌ ମହଜୁଦ ରଖି ୨୪ ଘଣ୍ଟା ଫୋନ୍‌ କଲ୍‌ ରିସିଭ୍‌ କରି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସଜାଗ ରହୁଛନ୍ତିି। ଏଯାବତ୍‌ ସତ୍ୟନାରାୟଣ ମାଗଣାରେ ସିଲିଣ୍ଡର୍‌ ଯୋଗାଇ ଦେଇ ୫୦୦ ଲୋକଙ୍କ ଜୀବନ ବଞ୍ଚାଇ ସାରିଲେଣି। ଏକାଦଶ ଯାଏ ପଢ଼ିଥିବା ସତ୍ୟନାରାୟଣ କୁହନ୍ତି, ତାଙ୍କ ମା’ ଶ୍ୱାସରୋଗରେ ପୀଡିତ ଥିଲେ ଓ ତାଙ୍କୁ ପିଣ୍ଡ୍ରାସ୍ଥିତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଅକ୍ସିଜେନ ସିଲିଣ୍ଡର ନ ଥିବାରୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସତ୍ୟନାରାୟଣ ଅତ୍ୟନ୍ତ ଦୁଃଖିତ ହୋଇଥିଲେ। ସେବେଠାରୁ ଏଭଳି ପରିସ୍ଥିତିର କେହି ସାମ୍‌ନା ନ କରନ୍ତୁ ବୋଲି ଭାବି ରୋଗୀମାନଙ୍କୁ ଏଭଳି ସେବା ଯୋଗାଇ ଆସୁଛନ୍ତି। ପିଣ୍ଡ୍ରା ଏକ ପଛୁଆ ଅଞ୍ଚଳ। ଏଠାରେ ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ ହୁଏ ନାହିଁ। ଏଣୁ ଲୋକମାନେ ଚିକିତ୍ସା ଲାଗି ପାଖ ସହରକୁ ଯାଆନ୍ତି। ଏହି ଅସୁବିଧା ଦୂର କରିବା ଲାଗି ସତ୍ୟନାରାୟଣ ରୋଗୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେଇ ଅନେକ ଜୀବନ ବଞ୍ଚାଉଛନ୍ତି।