ଏଇ ଭାରତରେ

ଯେତେ ବାଧା ଥାଉ ପଛେ ମତଦାନ ଏକ ଅଧିକାର ଓ ରାଷ୍ଟ୍ର ନିର୍ମାଣରେ ପ୍ରତିଟି ମତର ମୂଲ୍ୟ ରହିଛି, ଯାହା ପ୍ରତିପାଦିତ ହୋଇଛି ଛତିଶଗଡ଼ର ଚିତ୍ରକୋଟ ବିଧାନସଭା ଉପନିର୍ବାଚନରେ। ସଡ଼କ ନାହିଁ, ପାହାଡ଼ିଆ ରାସ୍ତାରେ ଏହି ନିର୍ବାଚନମଣ୍ଡଳୀର ମତଦାତାମାନେ ୧୦ରୁ ୨୦ କିଲୋମିଟର ଚାଲି ଚାଲି ଯାଇ ମତଦାନ କରିଛନ୍ତି। କେଉଁ ପାର୍ଟିରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତାହା ନ ଜାଣି ବି ମତଦାନ କରିଛନ୍ତି ଏଠାକାର ମତଦାତାମାନେ। ପହଞ୍ଚିବାରେ ଥିବା ବାଧାକୁ ଦୃଷ୍ଟିରେ ରଖି ଉକ୍ତ ନିର୍ବାଚନମଣ୍ଡଳୀର ସୁଲେଙ୍ଗା ମତଦାନ କେନ୍ଦ୍ରକୁ ସତସପୁର ପ୍ରାଥମିକ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲା। ମତଦାତାମାନଙ୍କୁ ପାହାଡ଼ ପାର ହୋଇ ସତସପୁରରେ ପହଞ୍ଚିବା ପାଇଁ ୧୦ କିଲୋମିଟରରୁ ଊର୍ଦ୍ଧ୍ୱ ଚାଲିବାକୁ ପଡିଛି। କେବଳ ଏତିକି ନୁହେଁ କୁଡୁମଖୋଦରା ମତଦାନ କେନ୍ଦ୍ରକୁ ବସିପୁରସ୍ଥିତ ବାଳକ ଆଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା। ମତଦାନ କରିବା ପାଇଁ ମତଦାତାମାନେ ୨୦ କିଲୋମିଟର ଚାଲି ଚାଲି ବୁଥ୍‌ରେ ପହଞ୍ଚିଥିଲେ। ସକାଳୁ ଉଠି ସେମାନେ ମତଦାନ କେନ୍ଦ୍ର ଅଭିମୁଖେ ଚାଲିବା ଆରମ୍ଭ କରିଦେଇଥିଲେ। ଯିଏ ଜିିତିବେ ସେ ଗାଁ ଯାଏ ସଡ଼କ ନିର୍ମାଣ କରିଦେବେ ବୋଲି ଭାବି ସେମାନେ ଏପରି ସବୁଥର ଭୋଟ ଦେଉଛନ୍ତି। ମତଦାତାମାନଙ୍କ ମଧ୍ୟରୁ ଅଧିକାଂଶ କେଉଁ ଦଳରୁ କିଏ ନିର୍ବାଚନ ଲଢୁଛନ୍ତି ତାହା ଜାଣି ନ ଥିଲେ ବି ପାର୍ଟିକୁ ଲକ୍ଷ୍ୟ କରି ଭୋଟ ଦେଇଛନ୍ତି। ଏମିତିକି ପ୍ରାର୍ଥୀମାନଙ୍କ ନାମ ଜାଣିବାର ଆବଶ୍ୟକତା ନାହିଁ ବୋଲି ଅନେକ ମତ ଦେଇଛନ୍ତି।