ଏଇ ଭାରତରେ

ସ୍କୁଲ ଯିବାକୁ କେତେକ ପିଲା ଅମଙ୍ଗ ହୋଇଥାନ୍ତି। ତେବେ ମଧ୍ୟପ୍ରଦେଶ ଭୋପାଳର ଜଣେ ଛାତ୍ରୀ ୧୨ ବର୍ଷ ମଧ୍ୟରେ କୌଣସି ଗୋଟିଏ ବି ଦିନ ସ୍କୁଲ ବନ୍ଦ କରିି ନାହାନ୍ତି। ସବୁଦିନ ସ୍କୁଲ ଯାଇ ସେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଥାନୀୟ ବାଲାଜୀପୁରମ୍‌ର ବାସିନ୍ଦା ମୁକୁଲ ଦାସଙ୍କ କନ୍ୟା ମାନସୀ ଏହି ରେକର୍ଡ କରିଛନ୍ତି। ସେ ପିପିଲାନୀସ୍ଥିତ ସେଣ୍ଟ୍‌ ଥେରେସା ଗଲର୍‌ସ ସ୍କୁଲରେ ଅଧ୍ୟୟନ କରୁଥିଲେ। ସେ ଦ୍ୱାଦଶ ଶ୍ରେଣୀ ସିବିଏସଇ ପରୀକ୍ଷାରେ ସାଇନ୍ସ ପାଠ୍ୟକ୍ରମରେ ୯୩.୬ ପ୍ରତିଶତ ନମ୍ବର ରଖି ପାସ୍‌ କରିବା ସହିତ ଜେଇଇରେ ୯୮.୨ ପ୍ରତିଶତ ନମ୍ବର କରିଛନ୍ତି। ୨୦୦୦ ଅକ୍ଟୋବର ୧୯ରେ ଜନ୍ମ ହୋଇଥିବା ମାନସୀ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଢୁଥିଲେ। ପାଠପଢ଼ା ଜୀବନରେ ସେ ୨୫୧୦ ଦିନ ସ୍କୁଲ ଯାଇଛନ୍ତି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଦୁର୍ଘଟଣା ଯୋଗୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ମାନସୀ ସ୍କୁଲ ବନ୍ଦ କରି ନ ଥିଲେ। ସେହିପରି ପଞ୍ଚମରେ ପଢୁଥିବା ସମୟରେ ମାନସୀଙ୍କୁ ମ୍ୟାଲେରିଆ ହୋଇଥିଲା। ତଥାପି ସେ ଗୋଟିଏ ଦିନ ବି ସ୍କୁଲ ବନ୍ଦ କରି ନ ଥିଲେ ବୋଲି ପିତା ମୁକୁଲ କୁହନ୍ତି। ସେମାନେ କୋଲ୍‌କାତାର ମୂଳ ବାସିନ୍ଦା। ମୁକୁଲ ଏକ ଘରୋଇ କମ୍ପାନୀରେ ଭୋପାଳରେ କାମ କରନ୍ତି। କେବଳ ଖରାଦିନ ଛୁଟିରେ ସେମାନେ କୋଲ୍‌କାତା ଆସିଥାନ୍ତି ବୋଲି ମୁକୁଲ କହିଛନ୍ତି।