ଏଇ ଭାରତରେ

ଦୀପାବଳି ପାଳନର ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଛି ଛତିଶଗଡ଼ର ଧମତରୀ ଜିଲାରେ। ଏହି ଜିଲାର ସେମରା ଗାଁରେ ଏକ ସପ୍ତାହ ପୂର୍ବରୁ ଦୀପାବଳି ପାଳନ କରାଯିବାର ବିଧି ପିଢି ପିଢି ଧରି ଚଳିଆସୁଛିି। କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ପାଳନ ନ ହୋଇ କାର୍ତ୍ତିକ ଅଷ୍ଟମୀରେ ଏହା ପାଳନ କରାଯାଏ। ଲୋକମାନେ ପରିବାର ସହ ଦୀପ ଜଳାନ୍ତି, ବାଣ ଫୁଟାନ୍ତି ଓ ମିଠାଇ ବି ବାଣ୍ଟନ୍ତି। ଦୀପାବଳି ଅବସରରେ ହର-ପାର୍ବତୀଙ୍କ ବରାତ ମଧ୍ୟ ବାହାର କରାଯିବାର ପରମ୍ପରା ଏଠାରେ ଚଳିଆସୁଛି। ଏଭଳି ବିଧିରେ ଦୀପାବଳି ପାଳନ କରିଯିବା ପଛରେ ଏକ କାରଣ ରହିଛି। ଶହ ଶହ ବର୍ଷ ପୂର୍ବେ ସେମରାକୁ ଜଣେ ବୟସ୍କ ବ୍ୟକ୍ତି ଆସିଥିଲେ। ସେ ଗାଁରେ ରହିବା ପରେ ଗାଁର ସବୁ ସମସ୍ୟା ଦୂର ହୋଇଯାଇଥିଲା। ଏଥିପାଇଁ ଗାଁ ଲୋକମାନେ ତାଙ୍କୁ ଗ୍ରାମଦେବତା ଭାବେ ପୂଜା କରିବାରେ ଲାଗିଲେ। ତାଙ୍କ ପାଇଁ ଗାଁରେ ବି ଏକ ମନ୍ଦିର ପ୍ରତିଷ୍ଠା କରାଗଲା। ଗ୍ରାମଦେବତା ଗାଁର ମଙ୍ଗଳ ପାଇଁ ସ୍ବପ୍ନରେ ଦର୍ଶନ ଦେଇ ସବୁ ପର୍ବକୁ ଏକ ସପ୍ତାହ ପୂର୍ବରୁ ପାଳନ କରିବା ପାଇଁ କହିଥିଲେ। ସେବେଠାରୁ ଲୋକମାନେ ଦୀପାବଳି ସହ ହୋଲି, ହରେଲି ଆଦି ପର୍ବ ହିନ୍ଦୁ କ୍ୟାଲେଣ୍ଡରରେ ସ୍ଥିରୀକୃତ ତାରିଖର ଏକ ସପ୍ତାହ ପୂର୍ବରୁ ପାଳନ କରୁଛନ୍ତି।