ଏଇ ଭାରତରେ

ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍‌ମାନେ। ବୃତ୍ତି ପାଇଁ ଧର୍ମ ଓ ସମ୍ପ୍ରଦାୟ ବାଧକ ହୋଇପାରେନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ଏମାନେ। ବିହାରର ସୀତାମଢି ଜିଲା ଅନ୍ତର୍ଗତ ଟୁମରାସ୍ଥିତ ଏହି ଗାଁରେ ମୁସଲମାନ କାରିଗରମାନେ ଗଢୁଥିବା ମାଟି ଜିନିଷକୁ ହିନ୍ଦୁମାନେ ପୂଜାପାର୍ବଣରେ ଉପଯୋଗ କରୁଛନ୍ତି। ଛଟ୍‌ ପର୍ବରେ ଏମାନଙ୍କ ହାତଗଢ଼ା ମାଟିପାତ୍ରକୁ ହିନ୍ଦୁମାନେ ବ୍ୟବହାର କରନ୍ତି। ଏମାନଙ୍କ ଦ୍ୱାରା ଗଢ଼ାଯାଉଥିବା ମାଟି ଦୀପ ମଧ୍ୟ ଦୀପାବଳିରେ ବ୍ୟବହାର କରାଯାଏ। ଏହାବାଦ ଲୋକମାନେ କୌଣସି ପୂଜା କିମ୍ବା ବ୍ରତ ପୂର୍ବରୁ ଏମାନଙ୍କୁ ମାଟି ଜିନିଷ ତିଆରି କରିବା ପାଇଁ ବରାଦ ଦେଇଥାନ୍ତିି। ସିମରା ଗାଁରେ ପାଖାପାଖି ଏକ ଡଜନ ମୁସଲମାନ ପରିବାର ବାସକରୁଛନ୍ତି। ପୁରୁଷ ପୁରୁଷ ଧରି ଏମାନେ ଏହି କାମ କରିଆସୁଛନ୍ତି। ମାଟିର ଜିନିଷ ତିଆରି କରିବା ପାଇଁ ଏମାନେ ମାଟି କିଣୁଛନ୍ତି। ସେମାନେ ଯେଉଁ ଦରରେ ମାଟି କିଣୁଛନ୍ତି ସେହି ଅନୁପାତରେ ଲାଭ ପାଉନାହାନ୍ତି, ହେଲେ ମୁସଲମାନ କାରିଗରମାନେ ହିନ୍ଦୁପର୍ବ ପାଇଁ ଏହି କାମ ଚାଲୁ ରଖିଛନ୍ତି।