ଏଇ ଭାରତରେ

ସମାଜରେ ଏମିତି ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନେ ଦେଶଭାବନାରେ ଉଦ୍‌ବୁଦ୍ଧ ହେବା ସହ ଅନ୍ୟମାନଙ୍କୁ ଜିଇବାର ରାସ୍ତା ଦେଖାଇବା ପାଇଁ ସବୁ ଦୁଃଖକଷ୍ଟ ଭୁଲିଯାଇଥାନ୍ତି। ମହାରାଷ୍ଟ୍ରର ପ୍ରେରଣା ଆସୋସିଏଶନ୍‌ ଫର୍‌ ଦି ବ୍ଲାଇଣ୍ଡ୍‌ ଟିମ୍‌ର ସଦସ୍ୟମାନେ ଏମିତି କାର୍ଯ୍ୟରେ ଲାଗିଛନ୍ତି। ଏମାନେ ଭାରତର ବିଭିନ୍ନ ସୀମାରେ ପହଞ୍ଚି ଯବାନମାନଙ୍କ ସହ ଭାଇଦୁଜ୍‌ ପାଳନ କରିଆସୁଛନ୍ତି। ଦୃଷ୍ଟିହୀନମାନଙ୍କ ଏହି ମନୋଭାବ ସମାଜ ପାଇଁ ପାଲଟିଛି ପ୍ରେରଣାର ଉତ୍ସ। ଏମାନେ ୧୭ ଥର ସୀମାକୁ ଯାଇ ଯବାନମାନଙ୍କ ସହ ବିଭିନ୍ନ ପର୍ବ ପଳନ କରିସାରିଲେଣି। ଏଥର ଏମାନେ ପଞ୍ଜାବ ସୀମାନ୍ତ ଫଜିଲ୍‌କାର ସାଦକି ଚୌକିରେ ପହଞ୍ଚି ସନ୍ଧ୍ୟାରେ ଧ୍ୱଜାବତରଣ ଉତ୍ସବ ପୂର୍ବରୁ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଯବାନମାନଙ୍କୁ ତିଳକ ଲଗାଇ ସେମାନଙ୍କ ଦୀର୍ଘଜୀବନ କାମନା କରିଥିଲେ। ସେମାନଙ୍କ କହିବା ମୁତାବକ,ବିଏସ୍‌ଏଫ୍‌ ଯବାନମାନେ ବିଭିନ୍ନ ପର୍ବରେ ଘରଠାରୁ ଦୂରରେ ରହନ୍ତି ଓ ତାହା ପାଲନ କରିପାରନ୍ତିନାହିଁ। ଏଣୁ ସୀମାରେ ଯବାନମାନଙ୍କ ସହ ଏହି ପର୍ବ ପାଳନ କରି ସେମାନଙ୍କୁ ଖୁସି ରଖିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଟିମ୍‌ର ସଦସ୍ୟମାନେ । ଭିନ୍ନ ଭିନ୍ନ ସହରରୁ ଆସିଥିବା ଦୃଷ୍ଟିହୀନଙ୍କ ଏହି ଟିମ୍‌ କେବଳ ଯବାନମାନଙ୍କ ସହ ପର୍ବ ପାଳନ କରୁନାହାନ୍ତି,ସେମାନେ ମହାରାଷ୍ଟ୍ରରେ ଦୃଷ୍ଟିହୀନମାନଙ୍କୁ ନଜି ଗୋଡ଼ରେ ଠିଆ ହେବା ପାଇଁ ଏକ କମ୍ପ୍ୟୁଟର ସେଣ୍ଟର ବି ଖୋଲିଛନ୍ତି। ଏହି ସେଣ୍ଟର୍‌ରେ ଏବେ ୫୦ ଜଣ ପିଲା ପଢୁଛନ୍ତି। ‘ନେତ୍ରଦାନ ମହାପୁଣ୍ୟ ଓ ଏହାଦ୍ୱାରା ଆଉ ଜଣେ ବି ଦୁନିଆକୁ ଦେଖିପାରିବ’ ଏପରି ଭାବନା ନେଇ ଏହି ଟିମ୍‌ ଲୋକମାନଙ୍କୁ ନେତ୍ରଦାନ କରିବା ପାଇଁ ମଧ୍ୟ ପ୍ରେରିତ କରୁଛନ୍ତି।