ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ଏକ ସ୍କୁଲ ବନ୍ଦ ରହିବା ପରେ ଏବେ ଖୋଲିଛି। ଛତିଶଗଡ଼ ବିଜାପୁର ଜିଲାର ନକ୍ସଲ ପ୍ରଭାବିତ ଉସୁର ବ୍ଲକ୍‌ ମୁଖ୍ୟାଳୟଠାରୁ ୩୫ କିମି ଦୂର ମଲ୍ଲେମପେଣ୍ଟା ଗାଁରେ ଏହି ସ୍କୁଲ ଅବସ୍ଥିତ। ଏଥିରେ ୬୦ ପିଲା ନାମ ଲେଖାଇଛନ୍ତି। ଏହି ସ୍କୁଲ ଗାଁରେ ଥିବା ଏକ ଝୁମ୍ପୁଡିି ଘରେ ଆରମ୍ଭ କରାଯାଇଛି। ସରକାରୀ ଶିକ୍ଷକ ବି ନାହାନ୍ତି। ପଢାଇବା ଦାୟିତ୍ୱ ନେଇଛନ୍ତି ଦୁଇଜଣ ବେକାର ଯୁବକ। ଗାଁଲୋକେ ଟଙ୍କା ଆଦାୟ କରି ପିଲାମାନଙ୍କୁ ସିଲଟ, ଖଡି ଓ ପେନ୍‌ସିଲ ଦେଇଛନ୍ତି। ସ୍କୁଲ୍‌ ଏକ ମାସ ହେବ ଖୋଲିଲାଣି। କିନ୍ତୁ ଶିକ୍ଷା ବିଭାଗ ଏଯାଏ ପିଲାଙ୍କ ପାଖରେ ପହଞ୍ଚିପାରିନି କି କିଛି ସାମଗ୍ରୀ ମଧ୍ୟ ଦେଇନାହିଁ। ଛତିଶଗଡ଼ରେ ମାଓବାଦୀଙ୍କ ବିରୋଧରେ ସାଲଓ୍ବା ଜୁଡୁମ୍‌ ଆରମ୍ଭ କରାଯିବା ପରେ ଏହି ସ୍କୁଲ୍‌ ସମେତ ଅନ୍ୟ କେତୋଟି ପ୍ରାଥମିକ ସ୍କୁଲ୍‌କୁ ମଧ୍ୟ ବନ୍ଦ କରିଦିଆଯାଇଥିଲା। ଏହି ସ୍କୁଲଗୁଡିକ ମଧ୍ୟରେ ଥିଲା ମଲ୍ଲେମପେଣ୍ଟାର ସ୍କୁଲ। ଅନେକ ସ୍କୁଲ୍‌କୁ ଦୁର୍ଗମ ଅଞ୍ଚଳରୁ ମୁଖ୍ୟରାସ୍ତା କଡକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପିଲାମାନେ ଏହିସବୁ ସ୍କୁଲ୍‌କୁ ଆସିବା ଏତେ ସହଜ ନ ଥିଲା। କିନ୍ତୁ ଦୀର୍ଘ ବର୍ଷ ପରେ ପୁଣି ସ୍କୁଲ୍‌ ମଲ୍ଲେମପେଣ୍ଟାରେ ଖୋଲାଯାଇଥିବାରୁ ଗାଁ ଲୋକେ ବହୁତ ଖୁସି ଅଛନ୍ତି। ଆସନ୍ତା ମାସଠାରୁ ଏହି ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ଦିଆଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।