ଏଇ ଭାରତରେ

ନିଜେ ଦୁଃଖକଷ୍ଟ ସହି ଜନସେବା କରିବାର ଦୃଷ୍ଟାନ୍ତ ଏବେ ବି ସମାଜରେ ଦେଖିବାକୁ ମିଳେ। ତାହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି ଛତିଶଗଡ଼ର ଚିତ୍ରାଂଶ ତିଓ୍ବାରୀ। ସେ ଘରଠାରୁ ଦୂରରେ ରହି ନିଜ ଜୀବିକାର୍ଜନର ରାସ୍ତା ଖୋଜିବା ଭିତରୁ ସମୟ ବାହାର କରି ନିଶା ସେବନ, ଚୋରି ତଥା ମାଡପିଟ୍‌ରେ ଲିପ୍ତ ପିଲାମାନଙ୍କୁ ଭଲ ବାଟକୁ ଆଣିବା ଚେଷ୍ଟାରେ ଲାଗିଛନ୍ତି। ପକେଟମାର କରୁଥିବା ପିଲାମାନଙ୍କୁ ସେ ବୁଝାଶୁଝା କରି ସ୍କୁଲ ପଠାଉଛନ୍ତି। ଏଭଳି ଉଦ୍ୟମ କରି ଏବେ ସେ ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରାଇ ପାରିଛନ୍ତି। ଇଞ୍ଜିନିୟରିଂ କୋଚିଂ ଦେଇ ସେଥିରୁ ଯତ୍‌କିଞ୍ଚିତ୍‌ ଆୟ କରୁଥିବା ଅର୍ଥରେ ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଚିତ୍ରାଂଶୁ ଦୁର୍ଗର ସ୍ମୃତି ନଗରସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ଏହି ପିଲାମାନଙ୍କୁ ଭର୍ତ୍ତି କରିଛନ୍ତି। ଏହା ବ୍ୟତୀତ ତାଙ୍କ ଘର ପାଖାପାଖି କେତେକ ବସ୍ତିକୁ ଯାଇ ବର୍ଷକ ଭିତରେ ନିଶାସେବନ ଓ ଅପରାଧରେ ଜଡିତ ୧୦ରୁ ୧୮ ବର୍ଷ ବୟସର ପ୍ରାୟ ୩୦୦ ପିଲାଙ୍କୁ ସେ ଠାବ କରିିଛନ୍ତି। ଭଲ ଖାଇବାକୁ ନ ମିଳିବା, କୁସଙ୍ଗ ଓ ସ୍କୁଲ ଯାଉ ନ ଥିବାରୁ ସେମାନେ ଅପରାଧ କରୁଛନ୍ତି ବୋଲି ଜାଣିବା ପରେ ତାଙ୍କ ମନ ବଦଳିଯାଇଥିଲା। ଏହାପରେ ସେ ସପ୍ତାହର କୌଣସି ଏକ ଦିନରେ ଭଲ ଖାଦ୍ୟର ବ୍ୟବସ୍ଥା କରିବା ସହ ଉକ୍ତ ପିଲାମାନଙ୍କୁ ଭଲ ବାଟରେ ଯିବା ପାଇଁ ପରାମର୍ଶ ଦେବାକୁ ଆରମ୍ଭ କରିଦେଇଛନ୍ତି। ସେଠାରେ ସବୁ ପିଲାଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଦେଉଛନ୍ତି। ସେମାନଙ୍କୁ ଖେଳ ଓ ମନୋରଞ୍ଜନ ମାଧ୍ୟମରେ ମୁଖ୍ୟ ଧାରାରେ ଯୋଡିବାରେ ଲାଗି ପଡ଼ିଛନ୍ତି। ଚିତ୍ରାଂଶୁଙ୍କର ଏହି କାର୍ଯ୍ୟକୁ ସବୁ ସ୍ତରରେ ପ୍ରଶଂସା କରାଯିବା ସହ ଜନସମର୍ଥନ ମଧ୍ୟ ମିଳୁଛି।