ଏଇ ଭାରତରେ

ପବିତ୍ର ଧର୍ମଗ୍ରନ୍ଥ କୋରାନ ସହ ତିନି ପିଢି ହେବ ଭଗବତ୍‌ ଗୀତାକୁ ସାଇତି ରଖିଛନ୍ତି ଏକ ମୁସଲମାନ ପରିବାର। କେବଳ ଏତିକି ନୁହେଁ ତାହାକୁ ପଢୁଛନ୍ତି ଓ ଗୀତାର ଦର୍ଶନ ତାଙ୍କୁ ଜୀବନର ରାସ୍ତା ଦେଖାଉଛି ବୋଲି କହିଛନ୍ତି ଅନିଶ ଅନଓ୍ବାର। ମଧ୍ୟପ୍ରଦେଶର ରତଜାମ ଜିଲା ଅନ୍ତର୍ଗତ ଜାବରାରେ ସପରିବାର ରୁହନ୍ତି ଅନିଶ। ତାଙ୍କ ବୟସ ୫୭। ସେ ଜଣେ ଠିକାଦାର। ତାଙ୍କ ଘରେ ୧୨୧ ବର୍ଷ ହେବ ଊର୍ଦ୍ଦୁ ଲିଖିତ ଭଗବତ୍‌ ଗୀତାର ବାଣୀ ଶୁଣିବାକୁ ମିଳୁଛି। ଅନିଶ ତାଙ୍କ ବନ୍ଧୁ କିଶୋର ଶାକଲ୍ୟଙ୍କ ସହ ଗୀତା ପଢନ୍ତି। ମଥୁରାର ପଣ୍ଡିତ ଜାନକୀନାଥ ମଦନ ଦେହଲ୍‌ଭି ମୂଳ ସଂସ୍କୃତରୁ ଏହାକୁ ୧୫ ମାର୍ଚ୍ଚ ୧୮୯୮ରେ ଉର୍ଦ୍ଦୁରେ ଅନୁବାଦ କରିଥିଲେ। ପଣ୍ଡିତ ରାମାୟଣ ଭାର୍ଗବଙ୍କ ଦ୍ୱାରା ଏହା ମଥୁରା ପ୍ରେସ୍‌ରେ ପ୍ରକାଶିତ ହୋଇଥିଲା। ଏଥିରେ ଗୀତାର ୧୮ଟି ଅଧ୍ୟାୟର ସମସ୍ତ ଶ୍ଳୋକକୁ ୨୩୦ ପୃଷ୍ଠାରେ ଉର୍ଦ୍ଦୁରେ ବ୍ୟାଖ୍ୟା କରାଯାଇଛି। ପ୍ରକାଶନ ସମୟରେ ଏହାର ମୂଲ୍ୟ ୬ ପଇସା ଥିଲା। ଉର୍ଦ୍ଦୁରେ ପ୍ରକାଶିତ ଗୀତାର ପୃଷ୍ଠା ୪୧ରେ ପ୍ରକାଶିତ ଶ୍ଳୋକ ପଢି ଅନିଶ ଖୁବ୍‌ ପ୍ରଭାବିତ ହୋଇଛନ୍ତି। ଏହା ତାଙ୍କ ଜୀବନକୁ ପଥ ଦେଖାଇଛି ବୋଲି ସେ କୁହନ୍ତି। ଏହିି ଶ୍ଳେକର ଅର୍ଥ ହେଉଛି, ଯେଉଁ ମନୁଷ୍ୟକୁ ସ୍ପର୍ଶ ମାତ୍ରକେ କିଛି ପ୍ରଭାବ ପଡେନାହିଁ ଏବଂ ସୁଖ ଓ ଦୁଃଖରେ ସମାନ ସ୍ଥିତିରେ ରହେ, ସେ ଅମର ହୋଇଯାଏ। ଅନିଶ ଓ ତାଙ୍କ ପରିବାରର ଏଭଳି ମହତ୍‌ ଚିନ୍ତାଧାରା ଭାଇଚାରା ଓ ସର୍ବଧର୍ମ ସମନ୍ବୟର ପ୍ରତୀକ ସାଜିଛି।