ଏଇ ଭାରତରେ

ଦାନକଲେ ପୁଣ୍ୟ ଅର୍ଜନ ହୋଇଥାଏ। ଅର୍ଥଦାନ, ଅନ୍ନଦାନ, କନ୍ୟାଦାନ, ଗୋ-ଦାନ ଏବଂ ଭୂମିଦାନ ଆଦି ଅନେକ ପ୍ରକାର ଦାନ କରାଯାଉଥିବା ବେଳେ କେଶଦାନ କରିବା ନୂଆ ନିଶ୍ଚୟ। ଉତ୍ତରାଖଣ୍ଡର ରୁର୍‌କୀ ଅଞ୍ଚଳର ଜଣେ ମହିଳା କ୍ୟାନ୍‌ସର ପୀଡ଼ିତଙ୍କ ସହାୟତା ଲାଗି ନିଜର ସୁନ୍ଦର କେଶ ଦାନ କରିଛନ୍ତି। ସ୍ଥାନୀୟ ରାମନଗରର ସୋନମ୍‌ ଭଟେଜା ଏଭଳି କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। କ୍ୟାନ୍‌ସର ରୋଗୀଙ୍କୁ ସହାୟତା ନିମନ୍ତେ କେଶ ଦାନ ସମ୍ପର୍କରେ ସେ ମୁମ୍ବାଇର ‘ମଦଦ’ ନାମକ ଏକ ସଂସ୍ଥାର ଓ୍ବେବସାଇଟ୍‌ରୁ ଜାଣିବାକୁ ପାଇଥିଲେ। ତେବେ ଏଥିପାଇଁ ୧୨ରୁ ୧୩ ଇଞ୍ଚ ଲମ୍ବ କେଶର ଆବଶ୍ୟକତା ଥିବା ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଥିଲା। ଏହାପରେ ସୋନମ୍‌ ଯତ୍ନର ସହିତ କେଶ ବଢ଼ାଇ ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌କୁ ସୂଚନା ଦେଇଥିଲେ। ଓ୍ବେବ୍‌ସାଇଟ୍‌ କର୍ମଚାରୀ ଏକ ବିୟୁଟି ପାର୍ଲରରେ ସୋନମ୍‌ଙ୍କ କେଶ କଟାଇଥିଲେ। କ୍ୟାନ୍‌ସର ରୋଗୀଙ୍କର କେମୋଥେରାପି ଚିକିତ୍ସା ସମୟରେ ମୁଣ୍ଡର କେଶ ଉପୁଡ଼ି ଯାଇଥାଏ। ଓ୍ବେବ୍‌ସାଇଟ୍‌ ଦ୍ୱାରା ସଂଗୃହୀତ କେଶରେ ଓ୍ବିଗ୍‌ ପ୍ରସ୍ତୁତ କରାଯାଇ ରୋଗୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା ରହିଛି। କ୍ୟାନ୍‌ସର ରୋଗୀଙ୍କ ନିମନ୍ତେ ସୋନମ୍‌ଙ୍କ କେଶଦାନ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ।