ଏଇ ଭାରତରେ

ଭାରତରେ ବିବିଧତା ମଧ୍ୟରେ ସହାବସ୍ଥାନ ଓ ସାମ୍ପ୍ରଦାୟିକ ସଦ୍‌ଭାବନା ସମ୍ଭବ, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ। ଜଣେ ଶିଖ୍‌ ବ୍ୟକ୍ତି ମସ୍‌ଜିଦ ନିର୍ମାଣ ଲାଗି ଜମି ଦାନ କରିଛନ୍ତି। ଦାତାଙ୍କ ନାମ ସୁଖପାଲ ସିଂହ ବେଦି। ସେ ଜଣେ ସାମାଜିକ କର୍ମୀ। ଗୁରୁ ନାନକଦେବଙ୍କ ୫୫୦ତମ ପ୍ରକାଶ ପର୍ବର ପବିତ୍ର ମାସରେ ସୁଖପାଲ ଏହି ଦାନ ଦେଇଛନ୍ତି। ମୁଜାଫରନଗର ପୁରକାଜି ସହରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଏହା ଘୋଷଣା କରିଛନ୍ତି। ପୁରକାଜି ନଗରନିଗମର ଅଧ୍ୟକ୍ଷ ଫାରୁଖଙ୍କୁ ସୁଖପାଲ ୯୦୦ ବର୍ଗଫୁଟ୍‌ ଜାଗାର କାଗଜପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ପୁରକାଜି ସହରରେ ସଂଖ୍ୟାଧିକ ମୁସଲମାନ ବାସ କରନ୍ତି। ସବୁ ଧର୍ମର ଲୋକଙ୍କୁ ଆଦର ଓ ସମ୍ମାନ କରିବା ସହ ଗୁରୁ ନାନକଙ୍କ ନୀତିଶିକ୍ଷା ଓ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି। ସହରର ଦୁଇ ସମ୍ପ୍ରଦାୟର ଲୋକମାନେ ସୁଖପାଲଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଭାଇଚାରା ଓ ଶାନ୍ତି ଆହୁରି ସୁଦୃଢ ହୋଇପାରିବ ବୋଲି ସେମାନେ କହିଛନ୍ତି। ମୁସଲମାନ ସମ୍ପ୍ରଦାୟର ଲୋକମାନେ ସୁଖପାଲଙ୍କ ଏହି ନିଷ୍ପତ୍ତି ଉପରେ ଖୁସି ପ୍ରକାଶ କରିବା ସହିତ ଧନ୍ୟବାଦ ବି ଦେଇଛନ୍ତି।