ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଅନେକଙ୍କୁ ପଦପଦବୀ ଓ ଅର୍ଥ ଉପାର୍ଜନର ମୋହରୁ ଦୂରକୁ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଜଣେ ମହିଳା ଡାକ୍ତରଙ୍କ କ୍ଷେତ୍ରରେ। ଡ. ଭାରତୀ ଏଲ୍‌ ଓ୍ବାଘଜିୟାସି ତାଙ୍କ ବୃତ୍ତିଗତ ରୋଜଗାରକୁ ପଛ କରିଦେଇ ସମାଜସେବାରେ ଲାଗିଛନ୍ତି। ବିନା ଦେୟରେ ଶିକ୍ଷା ଦେଇ ମହିଳାଙ୍କୁ ନିଜ ଗୋଡ଼ରେ ଠିଆ କରାଇବା ଲାଗି ତାଙ୍କର ସବୁ ସମୟ ଉତ୍ସର୍ଗ କରିଦେଇଛନ୍ତି। ବ୍ୟାଚେଲର ଅଫ୍‌ ଡେଣ୍ଟାଲ ସାଇନ୍ସ (ବିଡିଏସ୍‌) ପାସ୍‌ କରିବା ପରେ ୧୦ ବର୍ଷ ମାଣ୍ଡବିସ୍ଥିତ ଜେସିକା ଡେଣ୍ଟାଲ କ୍ଲିନିକ୍‌ରେ ଚିକିତ୍ସା କରୁଥିଲେ। ରୋଜଗାର ବି ଭଲ ହେଉଥିଲା। ସେ ତାଙ୍କ କ୍ଲିନିକ୍‌ରେ ଗରିବ ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟରେ ତାଙ୍କୁ ଜୀବିକା ଯୋଗାଇଦେବା ପାଇଁ ମନରେ ଆଗ୍ରହ ପ୍ରକାଶ ପାଇଥିଲା। ପରେ ଡ. ଭାରତୀ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ କ୍ଲିନିକ୍‌ ବନ୍ଦ କରିଦେଇଛନ୍ତି। ସେଠାରେ ସେ ଦୁଇଟି ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ସିଲାଇ ଓ ଫ୍ୟାଶନ ଡିଜାଇନିଂ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି। ଏଠାରୁ ମହିଳାମାନେ ଶିକ୍ଷାଲାଭ କରି ରୋଜଗାର କରିବା ପାଇଁ ସକ୍ଷମ ବି ହେଉଛନ୍ତି। ଡେଣ୍ଟିଷ୍ଟରୁ ଡିଜାଇନର ପାଲଟିଥିବା ଡ. ଭାରତୀ କୁହନ୍ତି ଯେ, ଆଜିକାଲି ଯୁବପିଢି ପୋଷାକ ଉପରେ ଅଧିକ ଧ୍ୟାନ ଦେଉଥିତ୍ବାରୁ ଫ୍ୟାଶନ ଡିଜାଇନିଂ ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରି ରୋଜଗାର କରାଇବା ସହଜ ହେବ ବୋଲି ଚିନ୍ତା କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। ଭାରତୀଙ୍କ ପରିବାରରେ ୪ ଜଣ ଡାକ୍ତର ଅଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ ସ୍ବାମୀ ଓ ପରିବାର ଲୋକେ ବି ସହଯୋଗ କରୁଛନ୍ତି।