ଏଇ ଭାରତରେ

ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ, ଯାହା ପ୍ରମାଣ କରିଛନ୍ତି ଜଣେ ନିର୍ମାଣ ଶ୍ରମିକ। ପ୍ରସିଦ୍ଧ ତାମିଲ ଲେଖକଙ୍କ ପୁସ୍ତକ ଓ ଗଳ୍ପ ଅନୁବାଦ କରି ସେ ପୁରସ୍କୃତ ହୋଇଛନ୍ତି। ତାଙ୍କ ନାମ ଶାଫି ଚେରୁମାଭିଲାଇ। କେରଳର କନ୍ନୁର ଜିଲା ବାସିନ୍ଦା ଶାଫି ଦଶମ ଯାଏ ପଢିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ତାଙ୍କୁ ପାଠରେ ଡୋରି ବାନ୍ଧିବାକୁ ପଡିଥିଲା। ପରେ ରୋଜଗାର ଲକ୍ଷ୍ୟ ନେଇ ପ୍ରଥମେ ପୁଣେ ଓ ପରେ ବେଙ୍ଗାଲୁରୁ ଯାଇଥିଲେ। ଅଶୀ ଦଶକର ଶେଷଆଡକୁ ସେ ବେଙ୍ଗାଲୁରୁର ଏକ ଚା’ଦୋକାନରେ କାମ କରୁଥିଲେ। କାମ ସରିଲା ପରେ ରାତିରେ ତାମିଲ ଫିଲ୍ମ ପୋଷ୍ଟର ସଂଗ୍ରହ କରି ତାହାକୁ ପଢନ୍ତି। ଦୋକାନକୁ ଯେଉଁମାନେ ତାମିଲ ବହି ଓ ଖବରକାଗଜ ଆଣନ୍ତି ତାହାକୁ ବି ସେ ପଢନ୍ତି। ଏହିିଠାରୁ ଆରମ୍ଭ ହୋଇଥିଲା ତାଙ୍କ ତାମିଲ ଶିକ୍ଷା। ସେଠାରୁ ୩ ବର୍ଷ ପାଇଁ ଗଲ୍ପକୁ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଯାଇ ସେଠାରୁ ପୁଣି ବେଙ୍ଗାଲୁରୁକୁ ୧୯୯୭ରେ ଫେରିଆସି ଗୋଟିଏ ଟେକ୍ସଟାଇଲ ଆଉଟଲେଟ୍‌ରେ କାମ କରିଥିଲେ। ସେହି ସମୟରେ ସେ ତାମିଲ ଭାଷା ଭଲଭାବେ ଶିଖିଯାଇଥିଲେ। ପ୍ରସିଦ୍ଧ ତାମିଲ ଲେଖକ ଥୋପିଲ ମହମ୍ମଦ ମେରାନଙ୍କ ପୁସ୍ତକ ଅନୁବାଦ କରି ପୁରସ୍କାର ଲାଭ କରିଛନ୍ତିି। ଚେରୁମାଭିଲାଇ ତାମିଲନାଡୁର ତ୍ରିଚୁରେ କେନ୍ଦ୍ର ସାହିତ୍ୟ ଏକାଡେମୀରେ ଅନୁବାଦକ ଭାବେ ବି କାର୍ଯ୍ୟ କରିଛନ୍ତି। ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଥମେ ସେ ସା. କଣ୍ଡାସାମୀଙ୍କ ଉପନ୍ୟାସ ଅନୁବାଦ କରିଥିଲେ । ସେ ମଧ୍ୟ ପେରୁମଲ ମୁରଗନଙ୍କ ‘ଅର୍ଦ୍ଧନାରୀ’ ଓ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ମେଲାନମଇ ପୋନ୍ନୁସାମୀଙ୍କ ଉପନ୍ୟାସ ଅନୁବାଦ କରିଛନ୍ତି। ତାଙ୍କୁ ଏବେ ବୟସ ୫୬ ବର୍ଷ। ସେ ତାମିଲରେ ଲିଖିତ ୯ଟି ଉପନ୍ୟାସ, ଶହ ଶହ କ୍ଷୁଦ୍ର ଗଳ୍ପକୁ ମାଲାୟାଲମରେ ଅନୁବାଦ କରିଛନ୍ତି। ଏହି ସବୁ ସୃଜନାମତ୍କ କାର୍ଯ୍ୟରେ ତାଙ୍କ ରୋଜିରୁଟି ଯୋଗାଡ କରିବା କଷ୍ଟକର ହୋଇପଡିଛି। ତେଣୁ ଏବେ ସେ ସକାଳୁ ସନ୍ଧ୍ୟା ଯାଏ ଶ୍ରମିକଭାବେ କାମ କରି ଫେରିବା ପରେ ଅନୁବାଦ କରିବାରେ ଲାଗିପଡ଼ନ୍ତି।