ଏଇ ଭାରତରେ

ଜଣେ ବିଚାରାଧୀନ ଅପରାଧୀ ଗଛ ଲଗାଇବେ ଓ ତାହାକୁ ବର୍ଷେ ଯାଏ ଜଗିବା ଲାଗି ଗ୍ବାଲିୟର ହାଇକୋର୍ଟ ପ୍ରଦାନ କରିଥିବା ସସର୍ତ୍ତ ଜାମିନକୁ ନେଇ ଏବେ ଚର୍ଚ୍ଚା ହେଉଛି। ଅଭିଯୁକ୍ତର ନାମ ଜିତୁ କୁଚବନ୍ଦିୟା। ବେଆଇନ ଭାବେ ମଦ ବିକ୍ରି କରିବା ଅଭିଯୋଗରେ ତାଙ୍କୁ ଗରିଫ କରାଯାଇଥିଲା। ପରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇ ସାର୍ବଜନୀନ ସ୍ଥାନରେ ୨୫ଟି ଗଛ ଲଗାଇବା ସହ ସେଗୁଡିକର ଯନତ୍ ନେବା ଲାଗି ସର୍ତ୍ତ ରଖିଛନ୍ତି। ଜିତୁ ଗଛ ଲଗାଇବା ପରେ ବର୍ଷେ ଯାଏ ଗଛଗୁଡିକର ଜଗାରଖା କରିବେ ବୋଲି କୋର୍ଟ କହିଛନ୍ତି। କେବଳ ଏତିକି ନୁହେଁ, ସେ ଯେଉଁସବୁ ଗଛ ଲଗାଇବେ ସେଗୁଡିକର ଫଟୋ ପ୍ରତିମାସରେ ଉଠାଇ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଯଦି ଗଛ ମରିଯାଏ ତେବେ ତାଙ୍କ ଜାମିନ ରଦ୍ଦ ହେବ। ଗଛ ଲଗାଇବା ପାଇଁ ଜାଗା ଲାଗି ସେ ବନ ବିଭାଗ ନିକଟରେ ପହଞ୍ଚିଛନ୍ତି। ବନ ବିଭାଗ ପକ୍ଷରୁ ଗ୍ବାଲିୟରର ରାମଲୀଳା ଛକ ନିକଟସ୍ଥ କବରସ୍ଥାନରେ ଗଛ ଲଗାଇବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି।